ନୟାଗଡ଼ରେ ଲଜ୍ଜା: ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ବଳାତ୍କାର ପରେ ଛୁରାମାଡ

ନୟାଗଡ,୧୧।୯(ଲୋକନାଥ ମିଶ୍ର) ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ବଳାତ୍କାର । ବଳାତ୍କାର ପରେ ମାନସିକ ବିକୃତ ମହିଳାଙ୍କୁ ଛୁରାମାଡ କରିଛନ୍ତି ଦୁର୍ବୃତ୍ତ l ବର୍ତ୍ତମାନ ମହିଳା ଗୁରୁତର ଅବସ୍ଥାରେ ନୟାଗଡ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି l ଘଟଣାଟି ହେଉଛି ଇଟାମାଟି ଥାନା ବାଉଁଶିଆପଡା ଗାଁର l ଏହି ଗାଁର ଜଣେ ସ୍ବାମୀ ପରିତ୍ୟକ୍ତା ଏବଂ ମାନସିକ ବିକାରଗ୍ରସ୍ତ ମହିଳା ବୁଧବାର ରାତିରେ ଗାଁ ଦାଣ୍ଡରେ ଜଣେ ବ୍ୟକ୍ତିଙ୍କ ବାରଣ୍ଡାରେ ଶୋଇଥିଲେ। ଏତିକିବେଳେ ଗାଁର ପାଣ୍ଡା ନାମକ ଜଣେ ନିଶାଗ୍ରସ୍ତ ଯୁବକ ତାଙ୍କୁ ବଳାତ୍କାର କରିଛନ୍ତି। ପରେ ତାଙ୍କୁ ଛୁରାମାଡ କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ l ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳା ଜଣକ ପଡିଥିବା ଅବସ୍ଥାରେ ଦେଖି ପରିବାର ଲୋକ ତାଙ୍କୁ ନୟାଗଡ ମେଡିକାଲକୁ ଆଣିଛନ୍ତି । ଇଟାମାଟି ଥାନା ଅଧିକାରୀ ମେଡିକାଲକୁ ଆସି ପୀଡିତା ଏବଂ ତାଙ୍କ ପରିବାର ଲୋକଙ୍କୁ ପଚରାଉଚରା କରି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଜଣେ ଯୁବକ ନା ଅଧିକ ଲୋକ ଏଥିରେ ସମ୍ପୃକ୍ତ ଅଛନ୍ତି ତାହା ତଦନ୍ତ ପରେ ଜଣାପଡିବ ବୋଲି ଥାନାଧିକାରୀ କହିଛନ୍ତି l

Share