Categories: Uncategorized

ନାବାଳିକାଙ୍କୁ ବାରମ୍ବାର ବଳାତ୍କାର : ଦୋଷୀଙ୍କୁ ୨୦ବର୍ଷ କାରାଦଣ୍ଡ

ବାଲେଶ୍ୱର,୨୫।୪(ମାନସ ବିଶ୍ୱାଳ): ବାଲେଶ୍ୱର ସ୍ବତନ୍ତ୍ର ପୋକ୍‌ସୋ କୋର୍ଟ ଜଜ୍‌ ରଞ୍ଜନ କୁମାର ସୂତାର ଗୁରୁବାର ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୫୦୦୦ ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦେୟ ଅଧିକ ୨ବର୍ଷ ଜେଲ୍‌ଦଣ୍ଡ ଭୋଗିବାକୁ ରାୟରେ କୁହାଯାଇଛି।
ବାଲେଶ୍ୱର ଜିଲା ଗୋପାଳପୁର ଥାନା ଅଞ୍ଚଳର ଜଣେ ୧୪ ବର୍ଷୀୟା ନାବାଳିକାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ବିଷ୍ଣୁପୁର ଗ୍ରାମର ତନୟ ଧୁପାଳ ତାଙ୍କୁ ବାରମ୍ବାର ବଳାତ୍କାର କରିଥିଲେ। ନାବାଳିକା ଜଣଙ୍କ ଗର୍ଭବତୀ ହେବାର ଲକ୍ଷଣ ଦେଖିବା ପରେ ଘରଲୋକ ତାଙ୍କୁ ପଚାରିଥିଲେ। ଅଭିଯୁକ୍ତ ନାବାଳିକାଙ୍କ ଧମକ ଦେଇଥିବାରୁ ସେ କିଛି କହି ନ ଥିଲେ। ପରେ ସମସ୍ତ ଘଟଣା ଜଣାପଡିବା ପରେ ପରିବାର ଲୋକେ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ଥାନାରେ ଏକ ମାମଲା(ନଂ.୧୩୩/୨୩) ରୁଜୁ ହୋଇଥିଲା। ପରେ ବାଲେଶ୍ୱର ସ୍ବତନ୍ତ୍ର ପୋକ୍‌ସୋ କୋର୍ଟରେ ମାମଲା ବିଚାରାଧୀନ ଥିଲା। ୧୩ ଜଣ ସାକ୍ଷୀ ଓ ୧୮ ଟି ଦଲିଲ ଓ ଦସ୍ତାବିଜକୁ ଆଧାର କରି କୋର୍ଟ ଉପରୋକ୍ତ ରାୟ ଶୁଣାଇଛନ୍ତି। ଏହି ମାମଲାରେ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ପ୍ରଣବ କୁମାର ପଣ୍ଡା ମକଦ୍ଦମା ପରିଚାଳନା କରୁଥିଲେ।