ନିଜକୁ ଜେଇ କହି ନାବାଳିକାଙ୍କୁ ପ୍ରେମରେ ଫସାଇଲେ ଏହି ବ୍ୟକ୍ତି : ସ୍ତ୍ରୀ ଖୋଲିଦେଲେ ଗୁମର

କୋଟଗଡ଼,୩ା୧୨(ସରୋଜ ବଳିୟାରସିଂ)- ଜେଇ ପରିଚୟ ଦେଇ ଜଣେ ନାବାଳିକାଙ୍କୁ ବଳାତ୍କାର କରିବା ଅଭିଯୋଗରେ କୋଟଗଡ ପୋଲିସ ରବିବାର ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ ମୁନା ମିଶାଲ। ନାବାଳିକାଙ୍କ ମା’ଙ୍କ ଏତଲା ଅନୁଯାଇ, ମୁନା ନିଜକୁ ଜେଇର ପରିଚୟ ଦେଇ ଯୁକ୍ତଦୁଇରେ ପଢୁଥିବା ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇଥିଲେ।

ପରେ ତାଙ୍କ ପରିବାର ଲୋକଙ୍କ ବିଶ୍ୱାସ ଜିତି ତିନି ମାସ ତଳେ ନାବାଳିକାଙ୍କୁ ନେଇ ବିଷମକଟକ ବ୍ଲକର ଶିକବନ୍ଧ ଗ୍ରାମରେ ଏକ ଘରେ ରଖି ବଳାତ୍କାର କରିଥିଲେ। ଆଇଏଏସ ଅଫିସର ନିକଟରେ ରାୟଗଡାରେ ପୋଷ୍ଟିଂ ହୋଇଯିବ କହି ମୁନା ନାବାଳିକାଙ୍କୁ ଦସ୍ତାବିଜ୍‌ ଦେଖାଇଥିଲେ। କିନ୍ତୁ ମୁନାଙ୍କ ସ୍ତ୍ରୀ ନାବାଳିକାଙ୍କ ଗ୍ରାମରେ ପହଞ୍ଚି ତାଙ୍କ ପରିବାର ଲୋକଙ୍କ ଆଗରେ ସ୍ବାମୀଙ୍କ ଗୁମର ଖୋଲିଦେଇଥିଲେ। ମୁନା ପୂର୍ବରୁ ବିବାହିତ ବୋଲି କହିଥିଲେ। ଏ ନେଇ ନାବାଳିକାଙ୍କ ମା’ କୋଟଗଡ ଥାନାରେ ଲିଖିତ ଏତଲା ଦେବା ସହ ମୁନା ଓରଫ ଅଲିଆସୁ ବୃଷକେତୁ ବାତ୍ରାଙ୍କୁ ଗିରଫ ଦାବି କରିଥିଲେ। କୋଟଗଡ଼ ପୋଲିସ ନଂ. ୧୬୨/୨୩ରେ ମାମଲା ରୁଜୁ କରି ରବିବାର ଅଭିଯୁକ୍ତ ମୁନା ମିଶାଲଙ୍କୁ ଗିରଫ କରିଛି। ଅଭିଯୁକ୍ତ ମୁନା ମିଶାଲଙ୍କ ଡାକ୍ତରୀମାଇନା ପରେ ଫୁଲବାଣୀ ପୋକ୍ସ କୋର୍ଟକୁ ପଠାଇବା ସହ ଜେଲ ପଠାଯାଇଥିବା ଥାନା ଅଧିକାରୀ ପି. କେ. ରାଉଳ ଜଣାଇଛନ୍ତି।

 

 

Share