Categories: ଜାତୀୟ

ଟ୍ୟୁଶନରୁ ଫେରିବାବେଳେ ନାବାଳିକାଙ୍କୁ ଗଣବଳାତ୍କାର

ଗୁଆହାଟୀ,୨୪ା୮(ପି.ଟି.): ଆସାମର ନାଗାଁଓ ଜିଲାରେ ଜଣେ ୧୪ ବର୍ଷୀୟା ବାଳିକାଙ୍କୁ ୩ ଜଣ ଗଣବଳାତ୍କାର କରିଥିବା ଅଭିଯୋଗ ପରେ ଶୁକ୍ରବାର ଜୋର୍‌ଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ନାବାଳିକାଙ୍କୁ ନ୍ୟାୟ ଦାବିରେ ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇଥିବାବେଳେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଦୋକାନ ବଜାର ଓ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକୁ ବନ୍ଦ ରଖିବା ପାଇଁ ଆହ୍ବାନ ଦେଇଛନ୍ତି। ଉତ୍ତେଜନା ବୃଦ୍ଧି ପାଇଥିବାବେଳେ ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ପ୍ରତିଶ୍ରୁତି ଦେଇଛନ୍ତି।
ଦଶମ ଶ୍ରେଣୀରେ ପଢ଼ୁଥିବା ନାବାଳିକା ଜଣକ ଗୁରୁବାର ରାତିରେ ଟ୍ୟୁଶନରୁ ସାଇକେଲ ଯୋଗେ ଘରକୁ ଫେରୁଥିବାବେଳେ ୩ ଅଭିଯୁକ୍ତ ମୋଟରସାଇକେଲରେ ଆସି ତାଙ୍କୁ ଘେରିଯାଇଥିଲେ। ସେମାନେ ନାବାଳିକାଙ୍କୁ ମାଡ଼ ମାରିବା ସହ ଗଣବଳାତ୍କାର କରିଥିଲେ ଏବଂ ରାସ୍ତା ପାର୍ଶ୍ୱରେ ତାଙ୍କୁ ଆହତ ତଥା ସଂଜ୍ଞାହୀନ ଅବସ୍ଥାରେ ଛାଡ଼ି ଚାଲିଯାଇଥିଲେ। ସ୍ଥାନୀୟ ଲୋକେ ପୀଡ଼ିତାଙ୍କୁ ଉଦ୍ଧାରକରି ପୋଲିସକୁ ଜଣାଇଥିଲେ। ନାଗାଁଓ ହସ୍ପିଟାଲରେ ତାଙ୍କ ଡାକ୍ତରୀ ମାଇନା କରାଯିବା ସହ ଚିକିତ୍ସା କରାଯାଉଛି। ଧିଙ୍ଗ ଅଞ୍ଚଳର ଉକ୍ତ ହିନ୍ଦୁ ନାବାଳିକାଙ୍କ ପ୍ରତି ଏଭଳି ଜଘନ୍ୟ ଅପରାଧ କରିଥିବା ଦୋଷୀଙ୍କୁ ଛଡ଼ାଯିବ ନାହିଁ। ମୁଖ୍ୟମନ୍ତ୍ରୀ ଘଟଣାସ୍ଥଳକୁ ପୋଲିସ ଡିଜି ଏବଂ ଜଳସମ୍ପଦ ମନ୍ତ୍ରୀ ପିଜୁଶ ହଜାରିକାଙ୍କୁ ପଠାଇ କଠୋର କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଲୋକ ସଭା ନିର୍ବାଚନ ପରେ ଏକ ନିର୍ଦ୍ଦିଷ୍ଟ ଧର୍ମର ଲୋକେ ଏଭଳି ଅପରାଧ ଘଟାଉଛନ୍ତି। ଗତ ୨ ମାସରେ ମହିଳାମାନଙ୍କ ବିରୋଧରେ ଏଭଳି ୨୨ଟି ଅପରାଧ ଘଟଣା ଘଟିଥିବା ହିମନ୍ତ କହିଛନ୍ତି। ପୋଲିସ ସନ୍ଦେହରେ ଜଣକୁ ଅଟକ ରଖି ପଚରାଉଚରା ଚଳାଇଥିବାବେଳେ ତୁରନ୍ତ ଅପରାଧୀଙ୍କୁ ଗିରଫ କରିବା ପାଇଁ ଦାବି ହୋଇଛି।

Share