ଢେଙ୍କିକୋଟ,୧୧ା୯(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଘଟଗାଁ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବିବାହ ପ୍ରଲୋଭନ ଦେଖାଇ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାରେ ପୋଲିସ ଜଣେ ନାବାଳକଙ୍କୁ ଅଟକ ରଖିଛି। ନାବାଳକ ଓ ନାବାଳିକା ଦୁହେଁ ଯୁକ୍ତ୨ରେ ପାଠ ପଢୁଥିବା ବେଳେ ଉଭୟ ଗୋଟିଏ ଗ୍ରାମର ବୋଲି ଜଣାପଡ଼ିଛି।
ପୋଲିସ ସୂଚନା ଅନୁଯାୟୀ, ଉଭୟ ଗୋଟିଏ କଲେଜରେ ପାଠ ପଢ଼ୁଥିବାରୁ ସାଙ୍ଗ ହୋଇ ଯିବା ଆସିବା କରୁଥିଲେ। ଏଥି ମଧ୍ୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ନାବାଳକ ଜଣକ ବିବାହ ପ୍ରତିଶ୍ରୁତି ଦେଇ ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। କିଛି ଦିନ ମଧ୍ୟ ଉଭୟ କେଉଁଆଡ଼େ ଚାଲିଯାଇଥିଲେ। ପରେ ନାବାଳିକାଙ୍କୁ ଆଣି ତାଙ୍କ ଘରେ ଛାଡ଼ି ଦେଇଥିଲେ। ପରେ ନାବାଳକ ବିବାହ ପାଇଁ ମନା କରିବାରୁ ନାବାଳିକା ଘଟଣା ସମ୍ପର୍କରେ ଘଟଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଆଇଆଇସି ଅଞ୍ଜନ ପାତ୍ର ନାବାଳକଙ୍କୁ ତାଙ୍କ ଘରୁ ଆଣି ଥାନାରେ ଅଟକ ରଖିଛନ୍ତି। ଏ ନେଇ ଘଟଗାଁ ଥାନାରେ ଏକ ବଳାତ୍କାର ମାମଲା(ନଂ.୨୦୯/୨୩)ରୁଜୁ ହୋଇଛି। ଉଭୟଙ୍କର ଡାକ୍ତରୀ ମାଇନା କରାଯାଇଛି। ମଙ୍ଗଳବାର ଅଭିଯୁକ୍ତ ନାବାଳକଙ୍କୁ କୋର୍ଟରେ ହାଜର କରାଯିବ ବୋଲି ସବଇନ୍ସପେକ୍ଟର ତପନ ଜେନା ପ୍ରକାଶ କରିଛନ୍ତି।