Categories: ଜାତୀୟ

ଦଳିତ ନାବାଳିକାଙ୍କୁ ଗଣବଳାତ୍କାର

ଲକ୍ଷ୍ନୌ, ୧୮ା୮: ଉତ୍ତରପ୍ରଦେଶର ଗୋରଖପୁର ଜିଲାରେ ଜଣେ ଦଳିତ ନାବାଳିକା(୧୭)ଙ୍କୁ ବଳପୂର୍ବକ ଅପହରଣ କରାଯିବା ପରେ ଗଣବଳାତ୍କାର କରାଯାଇଛି। ପୀଡ଼ିତାଙ୍କ ଶରୀରରେ ସିଗାରେଟ୍‌ ଚେଙ୍କ ଦେଖିବାକୁ ମିଳିଥିବାବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ଗୋରଖପୁର ଜିଲା ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି। ଶୁକ୍ରବାର ଘଟିଥିବା ଏହି ଘଟଣାରେ ପୋଲିସ ରବିବାର ୨ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି। ଅଭିଯୁକ୍ତ ଦ୍ୱୟ ହେଲେ ଅର୍ଜୁନ ନିଶାଦ ଓ ତାଙ୍କ ସହଯୋଗୀ ମହେଶ ଯାଦବ ଓରଫ ଛୋଟୁ।
ଗୋଲା ଡିଏସ୍‌ପି ଶ୍ୟାମ ଦେଓ ବିଣ୍ଡ୍‌ କହିଛନ୍ତି, ପୋଲିସ ତରଫରୁ ଅପହରଣ, ବଳାତ୍କାର ଭଳି ସଙ୍ଗିନ ଦଫାରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଦଳିତ ନାବାଳିକା ଜଣକ ବର୍‌ହାଜ୍‌ପାରଠାରେ ଏକ ଭଡ଼ାଘରେ ପରିବାର ସହ ରୁହନ୍ତି। ସେ ଗୋଲାସ୍ଥିତ ଏକ ଇଟାଭାଟିରେ କାମ କରନ୍ତି। ଶୁକ୍ରବାର ରାତିରେ ସେ ପାଣି ଆଣିବାକୁ ଯାଇ ଆଉ ଫେରି ନ ଥିଲେ। ତାଙ୍କ ଦେଖା ନ ମିଳିବାରୁ ପରିବାର ଲୋକେ ଏଣେତେଣେ ଖୋଜିଥିଲେ। ଶନିବାର ସକାଳେ ଗ୍ରାମବାସୀ ମନ୍ଦିର ପଛପଟ ଏକ ପରିତ୍ୟକ୍ତ ଘରୁ ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରିଥିଲେ। ତାଙ୍କ ଶରୀରରେ ସିଗାରେଟ୍‌ ଚେଙ୍କ ଦିଆଯାଇଥିବା ସ୍ପଷ୍ଟ ବାରିହୋଇ ପଡ଼ୁଛି। ଚେତା ଫେରିବା ପରେ ସେ ତାଙ୍କ ମା’ଙ୍କୁ ସବୁକଥା କହିଥିଲେ। ମୋଟର ସାଇକେଲରେ ଅର୍ଜୁନ ନିଶାଦ ଓ ଛୋଟୁ ଆସି ଅପହରଣ କରି ଗଣବଳାତ୍କାର କରିଥିବା ପୀଡ଼ିତାଙ୍କ ମା ପ୍ରକାଶ କରିଛନ୍ତି। ପୀଡ଼ିତାଙ୍କୁ ଡାକ୍ତରୀ ମାଇନା କରାଯାଇ ଜିଲା ହସ୍ପିଟାଲରେ ଚିକିତ୍ସା କରାଯାଉଛି। ମାଜିଷ୍ଟ୍ରେଟ୍‌ ତାଙ୍କ ବୟାନ ରେକର୍ଡ କରିଥିବା ଏସ୍‌ପି କହିଛନ୍ତି। ଉତ୍ତରପ୍ରଦେଶରେ କ୍ରମାଗତ ଭାବେ ମହିଳାଙ୍କ ଉପରେ ଅତ୍ୟାଚାର ବଢ଼ିଚାଲିଥିବାବେଳେ ବିଭିନ୍ନ ରାଜନୈତିକ ଦଳ ଏହାକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି।

Share