Categories: ଜାତୀୟ

ସ୍ପେନ୍‌ ମହିଳା ପର୍ଯ୍ୟଟକଙ୍କୁ ଗଣବଳାତ୍କାର: ବନ୍ଧା ହେଲେ ୩ ଅଭିଯୁକ୍ତ

ଡୁମ୍‌କା,୩।୩: ସ୍ପେନ୍‌ର ଜଣେ ମହିଳା ପର୍ଯ୍ୟଟକ ତାଙ୍କ ସ୍ବାମୀଙ୍କ ସହ ବାଇକ୍‌ରେ ବୁଲିବାକୁ ଯାଇଥିବାବେଳେ ଝାଡ଼ଖଣ୍ଡର ଡୁମ୍‌ମା ଜିଲାରେ ମହିଳାଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଉକ୍ତ ଦମ୍ପତି ଶୁକ୍ରବାର ରାତିରେ ଜିଲାର ହଂସଡିହାସ୍ଥିତ ଏକ ନିଛାଟିଆ ଅଞ୍ଚଳରେ ଅଟକିଥିବାବେଳେ ଅତ୍ୟାଚାରର ଶିକାର ହୋଇଥିଲେ। ଦୁର୍ବୃତ୍ତମାନେ ଉଭୟଙ୍କୁ ମାଡ଼ ମାରିବା ପରେ ମହିଳାଙ୍କୁ ଗଣବଳାତ୍କାର କରିଥିଲେ। ଏହି ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇଥିବା ପୋଲିସ କହିଛି। ଜରମୁଣ୍ଡି ଏସ୍‌ଡିପିଓ ସନ୍ତୋଷ କୁମାରଙ୍କ କହିବା ଅନୁଯାୟୀ ବାଂଲାଦେଶରୁ ବାଇକ୍‌ରେ ଆସିଥିବା ଉକ୍ତ ଦମ୍ପତି ଡୁମ୍‌କା ଦେଇ ବିହାରର ଭାଗଲପୁର ଯାଉଥିବାବେଳେ ଏକ ଅସ୍ଥାୟୀ ଟେଣ୍ଟରେ ରାଜି କଟାଇବା ପାଇଁ ହଂସଡିହା ବଜାର ନିକଟରେ ଅଟକିଥିଲେ। ସେମାନେ ବିହାର ଦେଇ ନେପାଳ ଯାଇଥାନ୍ତେ। ପୀଡ଼ିତାଙ୍କୁ ଡୁମ୍‌କାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ତଦନ୍ତ ଜାରି ରହିଛି। ଡୁମ୍‌କା ଏସ୍‌ପି ପୀତାମ୍ବର ସିଂ ଖେରଓ୍ବାରଙ୍କ କହିବା ଅନୁଯାୟୀ, ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଯିବା ସହ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ସ୍ପେନ୍‌ର ଏହି ଦମ୍ପତିଙ୍କ ଗସ୍ତ ଏବଂ ଡୁମ୍‌କାରେ ରହଣି ସମ୍ପର୍କରେ ଜିଲା ପ୍ରଶାସନ ନିକଟରେ କୌଣସି ଖବର ନ ଥିଲା ବୋଲି ସେ କହିଛନ୍ତି। ଘଟଣାର ଅନୁଧ୍ୟାନ ପାଇଁ ଏକ କମିଟି ଗଢ଼ାଯାଇଥିବା ଫୁଲୋ ଝାନୋ ମେଡିକାଲ କଲେଜ ସୁପରିଣ୍ଟେଣ୍ଡେଣ୍ଟ ଅନୁକୁରନ ପୂର୍ତ୍ତି କହିଛନ୍ତି। ଡାକ୍ତରୀ ପରୀକ୍ଷାରୁ ପୀଡ଼ିତାଙ୍କର ଆଭ୍ୟନ୍ତରୀଣ କ୍ଷତ ସମ୍ପର୍କରେ ଜଣାପଡ଼ି ନ ଥିବାରୁ ବଳାତ୍କାର କରାଯାଇଥିବା ନେଇ ସ୍ପଷ୍ଟ ହୋଇନାହିଁ। ଡାକ୍ତରୀ ଅନୁଧ୍ୟାନ ଜାରି ରହିଛି। ବିଦେଶିନୀଙ୍କୁ ଗଣବଳାତ୍କାର ଘଟଣାରେ ଝାଡ଼ଖଣ୍ଡରେ ଆଇନ ଶୃଙ୍ଖଳା ଭୁଶୁଡ଼ି ପଡ଼ିଥିବା ଭାଜପା ବିଧାୟକ ଅନନ୍ତ ଓଝା କହିଛନ୍ତି। ରାଜ୍ୟରେ ବିଦେଶୀମାନେ ମଧ୍ୟ ସୁରକ୍ଷିତ ନୁହନ୍ତି। ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଉ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଝାଡ଼ଖଣ୍ଡ ମନ୍ତ୍ରୀ ବନ୍ନା ଗୁପ୍ତା ପ୍ରତିଶ୍ରୁତି ଦେଇଛନ୍ତି।

Share