ମହିଳାଙ୍କୁ ଗଣବଳାତ୍କାର, ଘରପୋଡ଼ି ମାମଲା: ଏସ୍‌ପି, ଜିଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ

ବରଗଡ଼ ଅଫିସ,୩।୯: ବରଗଡ଼ ଜିଲା ଗାଇସିଲେଟ ଥାନା ଅଞ୍ଚଳରେ ଗତ ମାସ ୧୧ ତାରିଖ ଘଟିଥିବା ଦଳିତ ମହିଳାଙ୍କୁ ଗଣବଳାତ୍କାର ଏବଂ ଘରପୋଡ଼ି ମାମଲାକୁ ନେଇ ଆନ୍ଦୋଳନ ତେଜି ଉଠିଛି। ଉକ୍ତ ମାମଲାର ୧୨ ଅଭିଯୁକ୍ତଙ୍କ ମଧ୍ୟରୁ ପୋଲିସ ଏପର୍ଯ୍ୟନ୍ତ ୭ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅନ୍ୟ ୫ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଶୁକ୍ରବାର ବହୁଜନ ମିଳିତ ମଞ୍ଚ ଆନ୍ଦୋଳନକୁ ଓହ୍ଲାଇଛି। ଏହି କ୍ରମରେ ବରଗଡ଼ ଲୋକ ମଣ୍ଡପ ପଡ଼ିଆରେ ମଞ୍ଚର ହଜାର ହଜାର ମହିଳା, ପୁରୁଷ ସମବେତ ହୋଇଥିଲେ। ସେଠାରୁ ଏକ ବିଶାଳ ବିକ୍ଷୋଭ ଶୋଭାଯାତ୍ରାରେ ଏସ୍‌ପିଙ୍କ ଅଫିସକୁ ଯାଇଥିଲେ । ସେମାନଙ୍କ ଦାବି ନେଇ ଏସ୍‌ପି ରାହୁଲ ଜୈନଙ୍କୁ ଏକ ପ୍ରତିନିଧି ଦଳ ଭେଟି ସ୍ମାରକପତ୍ର ପ୍ରଦାନ କରିଥିଲେ । ପରେ ଜିଲାପାଳଙ୍କ ଅଫିସକୁ ଯାଇ ବିକ୍ଷୋଭ ପ୍ରଦର୍ଶନ ସହିତ ଧାରଣାରେ ବସିଥିଲେ। ରାଜ୍ୟର ବିଭିନ୍ନ ସଂଗଠନ ଏଥିରେ ସାମିଲ ଥିଲେ।

Share