ପାକିସ୍ତାନରେ ମହିଳା ନିର୍ଯାତନା ବଢୁଛି, ୪ ମାସରେ ୯୦୦ରୁ ଅଧିକ ମାମଲା…

ଇସଲାମାବାଦ,୨୬।୬ : ଚଳିତ ବର୍ଷ ଆରମ୍ଭରୁ ପାକିସ୍ତାନରେ ମହିଳା ଏବଂ ଶିଶୁଙ୍କ ବିରୋଧରେ ହୋଇଥିବା ଅପରାଧ ବଢ଼ିବାରେ ଲାଗିଛି। ଦେଶରେ ମହିଳା ନିର୍ଯାତନା ବଢ଼ିବାରେ ଲାଗିଛି। ସ୍ଥାୟୀ ସାମାଜିକ ବିକାଶ ସଂଗଠନର ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷର ପ୍ରଥମ ଚାରି ମାସରେ ମହିଳା ଏବଂ ଶିଶୁଙ୍କ ଉପରେ ୯୦୦ ରୁ ଅଧିକ ହିଂସା ମାମଲା ପଞ୍ଜୀକୃତ ହୋଇଛି।

ଏହି ରିପୋର୍ଟ ଅନୁଯାୟୀ, ଏହି ଚାରି ମାସ ମଧ୍ୟରେ ୫୨୯ ମହିଳାଙ୍କୁ ଅପହରଣ କରାଯାଇଛି। ୧୧୯ ଟି ଘରୋଇ ହିଂସା ମାମଲା ରୁଜୁ ହୋଇଛି। ଏଥିସହ ୫୬ ବଳାତ୍କାର ଏବଂ ୩୭ ଅନର କିଲିଂ ମାମଲା ରୁଜୁ କରାଯାଇଥିଲା।

କରାଚି ସେଣ୍ଟ୍ରାଲ, ହାଇଦ୍ରାବାଦ ଏବଂ କେମାରି ଜିଲା ମହିଳାମାନଙ୍କ ପ୍ରତି ହେଉଥିବା ହିଂସା ଅପରାଧର ହଟସ୍ପଟ ଭାବରେ ଉଭା ହୋଇଛି। ଶିଶୁଙ୍କ ବିରୋଧରେ ସର୍ବାଧିକ ପଞ୍ଜୀକୃତ ହୋଇଥିବା ମାମଲା ହେଉଛି ଯୌନ ହିଂସା ମାମଲା, ଯେଉଁଥିରେ ଏପର୍ଯ୍ୟନ୍ତ ପ୍ରାୟ ୬୭ ଟି ମାମଲା ପଞ୍ଜିକୃତ ହୋଇଛି।

ସମସ୍ତ ନାଗରିକ, ବିଶେଷକରି ମହିଳା ଏବଂ ଶିଶୁଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ସରକାର, ପୋଲିସ ଏବଂ ନ୍ୟାୟପାଳିକା ପକ୍ଷରୁ ଅଧିକ ଧ୍ୟାନ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ରିପୋର୍ଟରେ କୁହାଯାଇଛି।

Share