କିଭ୍,୧ା୧୨: ରୁଷୀୟ ସୈନ୍ୟମାନେ ୟୁକ୍ରେନୀୟ ମହିଳାମାନଙ୍କୁ ବଳାତ୍କାର କରୁଛନ୍ତି। ଯୌନ ହିଂସାକୁ ସେମାନେ ଆକ୍ରମଣର ଏକ ଅସ୍ତ୍ର ରୂପେ ବ୍ୟବହାର କରୁଛନ୍ତି। ସେହି ସୈନ୍ୟମାନଙ୍କୁ ସେମାନଙ୍କ ସ୍ତ୍ରୀମାନେ ଏପରି ହୀନ କାର୍ଯ୍ୟ କରିବାକୁ ପ୍ରବର୍ତ୍ତାଉଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ୟୁକ୍ରେନ୍ର ଫାଷ୍ଟ ଲେଡି ଓଲେନା ଜେଲେନ୍ସ୍କା।
ସଂଘର୍ଷ ବେଳେ ଯୌନ ହିଂସାର ମୁକାବିଲା ଉପରେ ଲଣ୍ଡନରେ ଆୟୋଜିତ ଏକ ଅନ୍ତର୍ଜାତୀୟ ସମ୍ମିଳନୀକୁ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କିଙ୍କ ୪୪ ବର୍ଷୀୟା ସ୍ତ୍ରୀ ଜେଲେନ୍ସ୍କା ସମ୍ବୋଧନ କରିଛନ୍ତି।
ଏହି ଅବସରରେ ସେ କହିଛନ୍ତି, ଗତ ଫେବୃୟାରୀ ୨୪ ଆକ୍ରମଣ ପରଠାରୁ ରୁଷୀୟ ସୈନ୍ୟମାନେ ୟୁକ୍ରେନର ମହିଳାମାନଙ୍କ ବିରୋଧରେ ବଳାତ୍କାରକୁ ବ୍ୟବସ୍ଥିତ ଓ ଖୋଲାଖୋଲି ଭାବେ ଅସ୍ତ୍ର ରୂପେ ବ୍ୟବହାର କରୁଛନ୍ତି। କାହା ଉପରେ ଆଧିପତ୍ୟ ପ୍ରମାଣିତ କରିବା ଲାଗି ବଳାତ୍କାର ହେଉଛି ସବୁଠୁ ନିଷ୍ଠୁର ଓ ପାଶବିକ ଅତ୍ୟାଚାର। ଯୁଦ୍ଧ ସମୟରେ କେହି ସୁରକ୍ଷିତ ନ ଥିବାରୁ ବଳାତ୍କାରର ଶିକାର ହୋଇଥିବା ପୀଡ଼ିତାମାନେ ଅଭିଯୋଗ କରିପାରି ନ ଥାଆନ୍ତି।
ରୁଷୀୟ ସୈନ୍ୟମାନେ ନିଜ ସ୍ତ୍ରୀଙ୍କୁ ଫୋନ୍ କଲେ ସେମାନେ ସ୍ବାମୀଙ୍କୁ ଏପରି କହୁଥିବା ଆମେ ଟ୍ରାକ୍ କରିଥିବା କେତେକ କଥୋପକଥନରୁ ଜାଣିବାକୁ ପାଇଛୁ। ଏପରି ବର୍ବରତାକୁ ଯୁଦ୍ଧ ଅପରାଧ ବିବେଚନା କରି ଅପରାଧୀଙ୍କୁ ଉଚିତ ଦଣ୍ଡ ଦେବା ଦିଗରେ ସାରା ବିଶ୍ୱ ବିଚାର କରୁ ବୋଲି ଜେଲେନ୍ସ୍କା ଆହ୍ବାନ ଦେଇଛନ୍ତି।