Categories: ଜାତୀୟ

ବଳାତ୍କାର ପୀଡିତା କହିଲେ ମୁଁ ବିବାହ କରି ଖୁସିରେ ରହୁଛି, ଦୋଷୀଙ୍କ ଦଣ୍ଡ କୋହଳ କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୪।୧୧ : ଜଣେ ୧୧ ବର୍ଷର ନାବାଳିକାଙ୍କୁ ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କ ଦଣ୍ଡକୁ ସେ ଜେଲରେ ବିତାଇଥିବା ସମୟକୁ ହ୍ରାସ କରି ସୁପ୍ରିମକୋର୍ଟ ଦଣ୍ଡ କୋହଳ କରିଛନ୍ତି। ଏଥିସହ ସୁପ୍ରିମକୋର୍ଟ ଝିଅର ବିବୃତ୍ତିକୁ ଗ୍ରହଣ କରିଛନ୍ତି। ସେ ସୁଖୀ ଦାମ୍ପତ୍ୟ ଜୀବନ ବିତାଉଛନ୍ତି ଏବଂ ମାମଲା ଆଗକୁ ନେବାକୁ ଚାହୁଁ ନାହାନ୍ତି ବୋଲି ଝିଅ ଜଣକ କହିଛନ୍ତି। ଜଷ୍ଟିସ ବି.ଆର ଗାଭାଇ, ପିଏସ ନରସିଂହ ଏବଂ ଅରବିନ୍ଦ କୁମାରଙ୍କ ଏକ ବେଞ୍ଚ ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୭୬ ଅନୁଯାୟୀ ବଳାତ୍କାରକାରୀଙ୍କ ଦୋଷୀ ସାବ୍ୟସ୍ତ ହେବାକୁ କାଏମ ରଖିଛନ୍ତି।

ମଧ୍ୟପ୍ରଦେଶର ଖଣ୍ଡୱା ନିମ୍ନ ଅଦାଲତ ଏହି ମାମଲାରେ ଆବେଦନକାରୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ତେବେ ରାଜ୍ୟ ସରକାର ଏକ ଆବେଦନ କରିଥିଲେ ଏବଂ ହାଇକୋର୍ଟ ନିର୍ଦ୍ଦୋଷ ରାୟକୁ ଖାରଜ କରି ଉକ୍ତ ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଦୋଷୀ ଜଣକ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ସର୍ବୋଚ୍ଚ ଅଦାଲତ କହିଛନ୍ତି ସର୍ବନିମ୍ନ ଦଣ୍ଡ ସାତ ବର୍ଷ ଜେଲଦଣ୍ଡ ହୋଇପାରେ, କିନ୍ତୁ ସାତ ବର୍ଷରୁ କମ ଦଣ୍ଡାଦେଶ ଶୁଣାଇବା କୋର୍ଟଙ୍କ ଅଧୀନରେ ରହିଛିା। ବେଞ୍ଚ କହିଛନ୍ତି ମହିଳା ଜଣକ ଜଣେ ଓକିଲଙ୍କ ମାଧ୍ୟମରେ କୋର୍ଟରେ ହାଜର ହୋଇଛନ୍ତି।

ବେଞ୍ଚ କହିଛନ୍ତି, ମହିଳା କହିଛନ୍ତି ସେ ସୁଖୀ ଦାମ୍ପତ୍ୟ ଜୀବନ ବିତାଉଛନ୍ତି ଏବଂ ଏହି ମାମଲାକୁ ଆଗକୁ ନେବାକୁ ଆଗ୍ରହୀ ନୁହଁନ୍ତି। ଆବେଦନକାରୀ ପାଞ୍ଚ ବର୍ଷରୁ ଅଧିକ ଜେଲରେ ବିତାଇ ସାରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ବର୍ତ୍ତମାନର ମାମଲାର ସତ୍ୟତା ଏବଂ ପରିସ୍ଥିତିକୁ ବିଚାର କରିବା ପରେ ଆମେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୭୬ ଅନୁଯାୟୀ ତାଙ୍କୁ ଦୋଷୀ ସାବ୍ୟସ୍ତ କରୁଛୁ। ତଥାପି, ଆମେ ଅନୁଭବ କରୁଛୁ ପୂର୍ବରୁ ଜେଲରେ ଦଣ୍ଡିତ ହୋଇଥିବା ଦଣ୍ଡ ନ୍ୟାୟର ଉଦ୍ଦେଶ୍ୟ ଶେଷ କରିବାରେ ସହାୟକ ହେବ।

Share