ବିବାହ ବନ୍ଧନରେ ବାନ୍ଧିହେଲେ ବଳାତ୍କାର ପୀଡ଼ିତା ଓ ଅଭିଯୁକ୍ତ

ଦେବଗଡ଼,୯ା୬(ଡି.ଏନ୍‌.ଏ.): ଦେବଗଡ଼ ଜିଲା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ପରସ୍ପରକୁ ଫୁଲମାଳ ପିନ୍ଧାଇ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ବଳାତ୍କାର ପୀଡ଼ିତା ଓ ଅଭିଯୁକ୍ତ। ପରିବାର ଲୋକ ଏବଂ ଜ୍ଞାତିପରିଜନଙ୍କ ସମ୍ମୁଖରେ ସାତଜନ୍ମ ପାଇଁ ଜୀବନସାଥୀ ଭାବେ ଉଭୟେ ଉଭୟଙ୍କୁ ଆପଣାଇ ନେଇଛନ୍ତି। ତେବେ ନବ ବିବାହିତ ଯୁବକ ବିଚାରାଧୀନ ବନ୍ଦୀ ଭାବେ ପୁଣିଥରେ ଜେଲ ହାଜତକୁ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ନବ ବିବାହିତା ଯୁବତୀ ମଧ୍ୟ ଫେରି ଯାଇଛନ୍ତି ବାପଘରକୁ। ଅପେକ୍ଷା କରିଛନ୍ତି ସ୍ବାମୀଙ୍କର ଫେରିବା ବାଟକୁ । ଏଭଳି ଏକ ଭିନ୍ନ ଘଟଣା ଦେଖିବାକୁ ମିଳିଛି ଦେବଗଡ଼ ଜିଲାରେ।

ସୂଚନାନୁଯାୟୀ, ଦେବଗଡ଼ ଥାନା କରଡ଼ାପାଳ ଗ୍ରାମର ଗୁରୁଚରଣ ବାଙ୍କିରା ନାମକ ଜଣେ ଯୁବକ ନିକଟସ୍ଥ ଏକ ଗ୍ରାମର ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ନିକଟସ୍ଥ କରଡ଼ାପାଳ ଗ୍ରାମର ଗୁରୁଚରଣ ବାଙ୍କିରା ଗିରଫ ହୋଇଥିଲେ। ଦେବଗଡ଼ ଆଦର୍ଶ ଥାନା ପୋଲିସ ତାଙ୍କୁ ବଳାତ୍କାର ଏବଂ ପୋକ୍ସୋ ଆକ୍ଟରେ କୋର୍ଟ ଚାଲାଣ କରିଥିବା ବେଳେ ୨୦୨୨ ମେ’ ୩ଠାରୁ ସେ (ଗୁରୁଚରଣ) ବିଚାରାଧୀନ ବନ୍ଦୀ ଭାବେ ଦେବଗଡ଼ ସ୍ବତନ୍ତ୍ର ଉପକାରାଗାରରେ କାଳ କାଟୁଥିଲେ। ତେବେ ପୀଡିତାଙ୍କୁ ୧୮ ବର୍ଷ ହେବା ପରେ  ଅଭିଯୁକ୍ତ ଓ ପୀଡ଼ିତା ଉଭୟେ ଉଭୟଙ୍କୁ ବିବାହ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ଏହି କ୍ରମରେ ଉଭୟେ (ଅଭିଯୁକ୍ତ ଓ ପୀଡ଼ିତା ) ବିବାହ ପାଇଁ ମିଳିତ ଭାବେ ଜେଲ କର୍ତ୍ତୃପକ୍ଷଙ୍କ ଜରିଆରେ ମାନ୍ୟବର ଅଦାଲତଙ୍କ ନିକଟରେ ଆବେଦନ କରିଥିଲେ। ଅଭିଯୁକ୍ତ ଗୁରୁଚରଣଙ୍କ ଓକିଲ ମଧ୍ୟ ଏଥିପାଇଁ ଅନୁମତି ଦେବାକୁ ମାନ୍ୟବର ଅଦାଲତରେ ଲିଖିତ ଆବେଦନ କରିଥିଲେ। ମାନ୍ୟବର ଅଦାଲତ ଏହି ଆବେଦନକୁ ଗ୍ରହଣ କରିବା ସହ ଦେବଗଡ଼ ଜିଲା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ବିବାହ ନିମନ୍ତେ ତାରିଖ ଧାର୍ଯ୍ୟ କରିବା ସହ ଅଭିଯୁକ୍ତଙ୍କୁ ସେଠାରେ ହାଜର କରିବା ପାଇଁ ଜେଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ନିର୍ଦ୍ଦେଶ ଅନୁଯାୟୀ, ଗୁରୁବାର ପୂର୍ବାହ୍ନରେ ଜେଲ୍‌ କର୍ତ୍ତୃପକ୍ଷ ଅଭିଯୁକ୍ତ ଗୁରୁଚରଣଙ୍କୁ ଦେବଗଡ଼ ଜିଲା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ହାଜର କରିଥିଲେ। ସେଠାରେ ପୂର୍ବରୁ ଅପେକ୍ଷା କରିଥିବା ପୀଡିତାଙ୍କ ମା’, ଅଭିଯୁକ୍ତ ଗୁରୁଚରଣଙ୍କ ପିତା ଓ ଉଭୟଙ୍କ ଜ୍ଞାତିପରିଜନ,ଦେବଗଡ଼ ସ୍ବତନ୍ତ୍ର ଉପକାରାଗାରର ସବ୍‌ଆସିଷ୍ଟାଣ୍ଟ ଜେଲର ପୀତବାସ ହୋତା, ଅଭିଯୁକ୍ତଙ୍କ ଓକିଲ ଦିଲ୍ଲୀପ କୁମାର ଗୁରୁ ଓ ସିଦ୍ଧେଶ୍ୱର ଗୁରୁ, ପୋଲିସ ଉପସ୍ଥିତିରେ ଉପନିବନ୍ଧକ ରୁବି ବେହେରା ଉଭୟଙ୍କୁ ଆଇନ ଅନୁଯାୟୀ ବିବାହ କରାଇଥିଲେ। ସେଠାରେ ଜିଲା ଉପନିବନ୍ଧକଙ୍କ ସମ୍ମୁଖରେ ଗୁରୁଚରଣ ଏବଂ ପୀଡ଼ିତା ଉଭୟେ ଉଭୟଙ୍କୁ ଫୁଲମାଳ ପିନ୍ଧାଇ ଜୀବନସାଥୀ ଭାବେ ଗ୍ରହଣ କରିଥିଲେ। ଏହି ଅବସରରେ ଅଭିଯୁକ୍ତ ଗୁରୁଚରଣ ପୀଡ଼ତାଙ୍କୁ ଶଙ୍ଖା ଓ ସିନ୍ଦୂର ପିନ୍ଧାଇ ବିଧିବଦ୍ଧ ଭାବେ ସ୍ତ୍ରୀର ମାନ୍ୟତା ଦେଇଥିଲେ ଓ ଉଭୟଙ୍କ ପରିବାର ଲୋକେ ମଧ୍ୟ ଖୁସିବ୍ୟକ୍ତ କରିଥିଲେ। ତେବେ ଉପରୋକ୍ତ ମାମଲା ଏବେ ମଧ୍ୟ ବିଚାରାଧୀନ ରହିଥିବାରୁ ନବ ବିବାହିତ ଗୁରୁଚରଣଙ୍କୁ ପୁଣି ଥରେ ଜେଲ ହାଜତକୁ ପ୍ରତ୍ୟାବର୍ତ୍ତନ କରିବାକୁ ପଡ଼ିଛି।

Share