Categories: ଜାତୀୟ

‘ହିଜାବ ନ ପିନ୍ଧୁଥିବାରୁ ବଳାତ୍କାର ହେଉଛି’

ବେଙ୍ଗାଲୁରୁ,୧୩।୨: ଭାରତରେ ବଳାତ୍କାର ହାର ସର୍ବାଧିକ। କାରଣ କିଛି ମହିଳା ହିଜାବ ପିନ୍ଧୁ ନାହାନ୍ତି। ରାଜ୍ୟର ସ୍କୁଲ ଓ କଲେଜରେ ମୁଣ୍ଡ ଘୋଡ଼ାଇବା ପାଇଁ ବ୍ୟବହୃତ ହେଉଥିବା ସ୍କାର୍ଫ ପନ୍ଧିବାକୁ ନେଇ ବିବାଦ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚିଥିବା ବେଳେ ଉପରୋକ୍ତ ଟିପ୍ପଣି ଦେଇଛନ୍ତି କର୍ନାଟକର ଜଣେ କଂଗ୍ରେସ ବିଧାୟକ।

“ହିଜାବର ଅର୍ଥ ଇସଲାମରେ ପରଦା। ମହିଳାଙ୍କ ସୁନ୍ଦରତାକୁ ଲୁଚାଇବା ଲାଗି ଏହାକୁ ବ୍ୟବହାର କରାଯାଏ। ଆଜି ଆପଣମାନେ ଦେଖିପାରନ୍ତି ବଳାତ୍କାର ହାର ଆମ ଦେଶରେ ସର୍ବାଧିକ। ଏହା ପଛର କାରଣ କ’ଣ ହୋଇଥାଇପାରେ? ଏହା ପଛର କାରଣ କିଛି ମହିଳା ହିଜାବ ପିନ୍ଧୁ ନାହାନ୍ତି। ଏହାର ଅର୍ଥ ହିଜାବ ବାଧ୍ୟତାମୂଳକ ନୁହେଁ। କେବଳ ଯେଉଁମାନେ ନିଜକୁ ସୁରକ୍ଷିତ ଓ ନିଜର ସୁନ୍ଦରତାକୁ ଲୁଚାଇବାକୁ ଚାହୁଁଛନ୍ତି, ସେମାନେ ଏହାକୁ ପିନ୍ଧିବା ଦରକାର। ଏହାର ବ୍ୟବହାର ବର୍ଷ ବର୍ଷ ଧରି ଚାଲିଛି” ବୋଲି କଂଗ୍ରେସ ବିଧାୟକ ଜାମିର ଅହମ୍ମଦ କହିଛନ୍ତି।

ଉଲ୍ଲେଖଯୋଗ୍ୟ, କର୍ନାଟକର ଉଡୁପି ଜିଲାର ପିୟୁ ସରକାରୀ ବାଳିକା କଲେଜରେ ଗତ ମାସରେ ୬ ଛାତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଆନ୍ଦୋଳନ ଏବେ ଅନ୍ତର୍ଜାତୀୟ ବ୍ୟକ୍ତି ବିଶେଷଙ୍କ ଦୃଷ୍ଟି ଆକର୍ଷଣ କରିଛି। ହିଜାବ କଟକଣାକୁ ନେଇ କର୍ନାଟକ ହାଇକୋର୍ଟରେ କରାଯାଇଥିବା ଆବେଦନର ଶୁଣାଣି ସୋମବାର ହେବ।

Share