Categories: ଜାତୀୟ

ରାଫାଲ ସ୍କାମ୍‌, କଂଗ୍ରେସ ମୁଣ୍ଡରେ ଅଠା ବୋଳିଲା ଭାଜପା…

ନୂଆଦିଲ୍ଲୀ,୯।୧୧: ରାଫାଲ ଯୁଦ୍ଧ ବିମାନ ସ୍କାମ୍‌ ମାମଲାରେ ଫ୍ରାନ୍ସର ପତ୍ରିକା ମିଡିଆପାର୍ଟ ଦ୍ୱାରା ପ୍ରକାଶିତ ତଥ୍ୟ ଉପରେ କଂଗ୍ରେସ ଭାଜପାକୁ ଘେରିବା ଉଦ୍ୟମ କରିଛି। ତେବେ ଭାଜପା ପକ୍ଷରୁ ଏହାର ପାଲଟା ଜବାବ୍‌ ପ୍ରଦାନ କରାଯାଇଛି। ଭାଜପା ପକ୍ଷରୁ ଏହି ମାମଲାରେ ମଧ୍ୟସ୍ଥିଙ୍କୁ ଦିଆଯାଇଥିବା ୬୫ କୋଟି ଲାଞ୍ଚ ନେଇ କଂଗ୍ରେସ ମୁଣ୍ଡରେ ଅଠା ବୋଳିଛି। ଭାଜପା ମିଡିଆପାର୍ଟର ରିପୋର୍ଟକୁ ଦର୍ଶାଇ ରାଫାଲ ଚୁକ୍ତିରେ କଂଗ୍ରେସ କମିଶନ ନେଇଥିବା ଅଭିଯୋଗ କରିଛି।

ଏହି ରିପୋର୍ଟରେ ଜଣେ ମଧ୍ୟସ୍ଥିଙ୍କ ନାମ ସମ୍ପର୍କରେ ଭାଜପା ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ଯେ, ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ମଧ୍ୟସ୍ଥ ବ୍ୟକ୍ତିଙ୍କ ନାମ ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ସ୍କାମରେ ପ୍ରକାଶ ପାଇଛି, ସେହି ନାମ ମଧ୍ୟ ରାଫାଲ ଚୁକ୍ତିରେ ସ୍ଥାନ ପାଇଛି। ରାଫାଲ ଏକ ବଡ଼ କମିଶନର କାହାଣୀ କହୁଛି। ଏହା ଏକ ବଡ ସ୍କାମର ଷଡଯନ୍ତ୍ର। ଏହାର ସମଗ୍ର ଘଟଣା ୨୦୦୭ ରୁ ୨୦୧୨ ମଧ୍ୟରେ ଘଟିଛି। ସେ ସମୟରେ ଦେଶରେ କଂଗ୍ରେସର ସରକାର ଥିବା ସମ୍ବିତ କହିଛନ୍ତି। ସୁଶେନ ମୋହନ ଗୁପ୍ତାଙ୍କ ନାମ ଅଗଷ୍ଟା ୱେଷ୍ଟଲ୍ୟାଣ୍ଡରେ ମଧ୍ୟ ଜଡ଼ିତ ରହିଛି।

୧୦ ବର୍ଷ ଧରି ଭାରତୀୟ ବାୟୁସେନାରେ ଯୁଦ୍ଧ ବିମାନ ନ ଥିଲା। ୧୦ ବର୍ଷ ପାଇଁ କେବଳ ଏକ ଆପୋଷ ବୁଝାାମଣା କରାଯାଇ ଡିଲକୁ ସ୍ଥଗିତ ରଖାଯାଇଥିଲା। ଏହି ଚୁକ୍ତିନାମା କେବଳ କମିଶନ ପାଇଁ ଅଟକାଇ ରଖାଯାଇଥିଲା। ଏହି ଚୁକ୍ତି ବିମାନ ପାଇଁ ନ ଥିଲା, ବରଂ ଏହା କମିଶନ ଲାଗି ଥିଲା ବୋଲି ସମ୍ବିତ କହିଛନ୍ତି। କଂଗ୍ରେସ ଦଳ କମିଶନରେ ରେକର୍ଡ ଭାଙ୍ଗିଥିବା ସେ ଅଭିଯୋଗ କରିଛନ୍ତି।

Share