Categories: ଜାତୀୟ

ଚାଇନା-ପାକିସ୍ତାନକୁ କଡ଼ା ଜବାବ ଦେବ ରାଫାଲ

ଅମ୍ବାଲା, ୧୦।୯: ଏଣିକି ଏଲ୍‌ଓସି ଏବଂ ଏଲ୍‌ଏସିରେ ଚାଇନା-ପାକିସ୍ତାନକୁ କଡ଼ା ଜବାବ ମିଳିବ। ଯୁଦ୍ଧ ବିମାନ ରାଫାଲ ବୁଧବାର ଭାରତୀୟ ବାୟୁସେନାରେ ସାମିଲ ହୋଇଛି। ଅମ୍ବାଲାସ୍ଥିତ ବାୟୁସେନା ଘାଟିରେ ବିଧିବଦ୍ଧ ଭାବେ ରାଫାଲକୁ ବାୟୁସେନାରେ ସାମିଲ କରାଯାଇଛି। ବାୟୁସେନାର ୧୭ ସ୍କ୍ବାଡ୍ରନ୍‌ ଗୋଲଡେନ୍‌ ଏରୋର ଅଂଶବିଶେଷ ଭାବେ ରାଫାଲ ଏଣିକି ଶତ୍ରୁ ଶିବିରରେ ଆକ୍ରମଣ କରିବାକୁ ସକ୍ଷମ ହେବ। ଏହି ସ୍କ୍ବାଡ୍ରନ୍‌ରେ ୧୮ ରାଫାଲ ଯୁଦ୍ଧ ବିମାନ,୩ ଟ୍ରେନର ଏବଂ ୧୫ ଫାଇଟର ଜେଟ୍‌ ରହିବେ। ଆୟୋଜିତ ଏକ ସର୍ବଧର୍ମ ପୂଜାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଫ୍ରାନ୍ସ୍‌ର ପ୍ରତିପକ୍ଷ ଫ୍ଲୋରେନ୍ସ ପାର୍ଲି ଯୋଗଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଏହି ଅବସରରେ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ ବିପିନ ରାୱତ୍‌, ବାୟୁସେନା ମୁଖ୍ୟ ଏୟାର ମାର୍ଶାଲ ଆର୍‌.କେ. ଏସ୍‌. ଭଦୌରିୟା, ପ୍ରତିରକ୍ଷା ସଚିବ ଡକ୍ଟର ଅଜୟ କୁମାର, ପ୍ରତିରକ୍ଷା ବିଭାଗ ସଚିବ ତଥା ଡିଆର୍‌ଡିଓ ଅଧ୍ୟକ୍ଷ ଜି. ଶତୀଶ ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ। ରାଫାଲକୁ ଓ୍ବାଟର କ୍ୟାନନ୍‌ରୁ ସଲାମୀ ଦିଆଯାଇଥିଲା। ୫ଟି ସୁଖୋଇ ବିମାନ ଫ୍ଲାଇପାଷ୍ଟ୍‌ରେ ଯୋଗଦେଇଥିଲେ। ଧ୍ରୁବ ହେଲିକପ୍ଟରର ସାରଙ୍ଗ ଟିମ୍‌ ମଧ୍ୟ ନିଜର ଉତ୍କର୍ଷତା ପ୍ରଦର୍ଶନ କରିଛନ୍ତି। ଏହା ସହିତ ଜାଗୁଆର, ତେଜସ୍‌ର ଡେଲ୍ଟା ଓ୍ବିଙ୍ଗ୍‌ ମଧ୍ୟ ନିଜ ନିଜର ସାମରିକ କଳା ପ୍ରଦର୍ଶନ କରିଛନ୍ତି। ରାଫାଲ ଦ୍ୱାରା ପରମାଣୁ ଆକ୍ରମଣ ମଧ୍ୟ କରାଯାଇ ପାରିବ। ଏଥିରେ ଟୁଓ୍ବିନ୍‌ ଇଞ୍ଜିନ୍‌ ରହିଛି। ରାଫାଲରେ ୧୨ ରାଉଣ୍ଡ୍‌ ସହିତ ୩୦ ଏମ୍‌ଏମ୍‌ ଫାୟାରିଂ ସୁବିଧା ରହିଛି। ଏକା ସମୟରେ ୯ ହଜାର କିଲୋଗ୍ରାମ୍‌ ସାମଗ୍ରୀ ବୋହିନେବାକୁ ଏହା ସକ୍ଷମ। ୧୦୦ କିଲୋମିଟର ଦୂରତା ମଧ୍ୟରେ ଏହା ଲକ୍ଷ୍ୟଭେଦ କରିବାକୁ ସକ୍ଷମ। ବାୟୁମାର୍ଗରେ ୧୫୦ କିଲୋମିଟର ଦୂରରୁ ଏହା ଦ୍ୱାରା ଲକ୍ଷ୍ୟଭେଦ କରାଯାଇପାରିବ।

Share