ରାଫାଲର ନୂଆ ରେକର୍ଡ, ଲଗାତାର ଉଡ଼ିଲା ୧୨ ଘଣ୍ଟା …

ପ୍ୟାରିସ୍‌/ନୂଆଦିଲ୍ଲୀ,୨୭।୬: ଫ୍ରାନ୍ସ୍‌ ଯୁଦ୍ଧ ବିମାନ ରାଫାଲ ଲଗାତାର ୧୨ ଘଣ୍ଟା ଉଡ଼ି ଏକ ନୂଆ ରେକର୍ଡ କରିଛି। ଏହି ସମୟ ମଧ୍ୟରେ ରାଫାଲ ୧୭ ହଜାର କିଲୋମିଟର ଅତିକ୍ରମ କରିଛି। ପ୍ରଶାନ୍ତ ମହାସାଗର ସ୍ଥିତ ଏୟାର ବେସ୍‌ ଅଭିମୁଖେ ଯାତ୍ରା ସମୟରେ ରାଫାଲ ବାଟରେ ନ ଅଟକି ଲଗାତାର ଉଡ଼ିଥିଲା। ଏହା ପୂର୍ବରୁ କୌଣସି ରାଫାଲ ଯୁଦ୍ଧ ବିମାନ ଏହା କରି ନାହାନ୍ତି। ଭାରତକୁ ଫ୍ରାନ୍ସ୍‌ରୁ ରାଫାଲ ବିମାନ ଆସିବା ସମୟରେ ବାଟ ନ ଅଟକି ଲଗାତାର ୬,୭୦୦ କିଲୋମିଟର ଉଡ଼ାଣ କରିଥିଲା। ୩ ରାଫାଲ ସହିତ ଫ୍ରାନ୍ସ୍‌ ବାୟୁସେନାର ୭ ବିମାନ ଉଡ଼ାଣ ଆରମ୍ଭ କରିଥିଲେ। ବିମାନଗୁଡ଼ିକ ଆମେରିକାର କାଲିଫର୍ନିଆ ଏୟାରବେସ୍‌ରେ ପହଞ୍ଚି ପରେ ଲକ୍ଷ୍ୟସ୍ଥଳ ମହାସାଗର ସ୍ଥିତ ଏୟାର ବେସ୍‌ ତାହିତି ଅଭିମୁଖେ ଲଗାତାର ୧୨ ଘଣ୍ଟା ଉଡି ସୁରକ୍ଷିତ ଭାବେ ଅବତରଣ କରିଥିଲେ। ଏଥିପାଇଁ ବିମାନଗୁଡ଼ିକରେ ୭ ଥର ଏୟାର ଟୁ ଏୟାର ରିଫ୍ୟୁଏଲିଂ କରାଯାଇଥିଲା। ଫ୍ରାନ୍ସ୍‌ରୁ କାଲିଫର୍ନିଆରେ ପହଞ୍ଚିବା ଲାଗି ୩ ଘଣ୍ଟା ଲାଗିଥିଲା। ଯାତ୍ରା ସମୟରେ ବିମାନଗୁଡ଼ିକ ମୋଟ ୧୫ ଘଣ୍ଟା ଉଡ଼ାଣ କରିଥିଲେ।

Share