ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର କରି ମାମୁ ଗଲେ ଜେଲ୍‌

ବିଞ୍ଝାରପୁର,୨୮ା୬(ରାମକୃଷ୍ଣ ଦାସ): ଯାଜପୁର ଜିଲା ଅଳକୁଣ୍ଡ ଥାନା ଅଞ୍ଚଳର ଜଣେ ୧୪ ବର୍ଷୀୟା ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ନାବାଳିକାଙ୍କ ବଡ଼ ଭଉଣୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ପୀଡ଼ିତା ଓ ତାଙ୍କ ମା’ ଉଭୟ ମାନସିକ ବିକାରଗ୍ରସ୍ତ। ପୀଡ଼ିତା ତାଙ୍କ ମାମୁଘର ବନ୍ଧସାହିଠାରେ ରହୁଥିଲେ। ଗତ ୨୫ ତାରିଖରେ ବର୍ଷା ହେଉଥିବା ସମୟରେ ପଡ଼ୋଶୀ ସମ୍ପର୍କୀୟ ମାମୁ ଗୟାଧର ନାବାଳିକାଙ୍କୁ ନିଜ ଘରକୁ ଡାକି ନେଇ ବଳାତ୍କାର କରିଥିଲେ। ଘଟଣା ପରଦିନ ପୀଡ଼ିତାଙ୍କ ଛାତିରେ କାମୁଡ଼ା ଦାଗ ଦେଖି ତାଙ୍କ ବଡ଼ ଭଉଣୀ ପଚାରିବାରୁ ପୀଡ଼ିତା ଘଟଣା ସମ୍ପର୍କରେ କହିଥିଲେ। ଏହାପରେ ପୀଡ଼ିତାଙ୍କ ବଡ଼ ଭଉଣୀ ଅଳକୁଣ୍ଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ନଂ.୯୨/୨୪ରେ ମାମଲା ରୁଜୁକରି ଅଭିଯୁକ୍ତଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ଗୟାଧର ଏକ ବସ୍‌ରେ ଆସୁଥିବା ଖବର ପାଇ ପୋଲିସ ତାଙ୍କୁ ପ୍ରୀତିପୁର ଛକ ନିକଟରୁ ଗିରଫ କରିଥିଲା। ଏହି ଘଟଣାରେ ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା କରାଯିବା ସହ ବୟାନ ରେକର୍ଡ କରାଯାଇଛି। ଅଭିଯୁକ୍ତଙ୍କୁ ଡାକ୍ତରୀ ପରୀକ୍ଷା ପରେ କୋର୍ଟଚାଲାଣ କରାଯାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ ଦାସ ସୂଚନା ଦେଇଛନ୍ତି।

Share