ସ୍ବାମୀଙ୍କୁ ବାନ୍ଧି ସ୍ତ୍ରୀଙ୍କୁ ଗଣବଳାତ୍କାର

ବ୍ରହ୍ମଗିରି,୧୮।୨(ସ୍ବାଧୀନ ଚମ୍ପତ୍ତିରାୟ)ଜଣେ ବ୍ୟକ୍ତିଙ୍କୁ ବାନ୍ଧି ତାଙ୍କ ସ୍ତ୍ରୀଙ୍କୁ ଗଣବଳାତ୍କାର କରାଯାଇଛି। ପୁରୀ ଜିଲା ବ୍ରହ୍ମଗିରି ବ୍ଲକ ଅରଖକୁଦା ମେରାଇନ ଥାନା ଅଞ୍ଚଳରେ ଶୁକ୍ରବାର ରାତିରେ ଘଟିଛି ଏହି ଘଟଣା। ଏନେଇ ଅଭିଯୋଗ ପାଇବା ପରେ ମେରାଇନ ଥାନା ପୋଲିସ ଅରଖକୁଦା ଗ୍ରାମର ବୁଲୁ ଗାର୍ଗି ନାମକ ଜଣେ ବ୍ୟକ୍ତିଙ୍କୁ ଶନିବାର ଗିରଫ କରିଛି। ଅନ୍ୟ ଜଣେ ଅଭିଯୁକ୍ତ ତ୍ରିନାଥ ବେହେରା ଫେରାର ହୋଇଯାଇଛନ୍ତି। ଅଭିଯୋଗ ଅନୁଯାୟୀ, ଶୁକ୍ରବାର ରାତିରେ ପୀଡ଼ିତା ଓ ତାଙ୍କ ସ୍ବାମୀ ଘରେ ଶୋଇଥିଲେ। ବିଳମ୍ବିତ ରାତିରେ ତ୍ରିନାଥ ଏବଂ ବୁଲୁ ପହଞ୍ଚତ୍ ପୀଡ଼ିତାଙ୍କ ସ୍ବାମୀଙ୍କୁ ଘରୁ ନିକଟସ୍ଥ ଆମ୍ବତୋଟାକୁ ଡାକି ନେଇଥିଲେ। ସେଠାରେ ତାଙ୍କୁ ସେମାନେ ମଦ ପିଆଇ ମରଣାନ୍ତକ ଆକ୍ରମଣ କରିଥିଲେ। ସ୍ବାମୀଙ୍କ ଚିତ୍କାର ଶୁଣି ପୀଡ଼ିତା ଘରୁ ଆସି ବିରୋଧ କରିଥିଲେ। ହେଲେ ଅଭିଯୁକ୍ତ ଦ୍ୱୟ ପୀଡ଼ିତାଙ୍କୁ ମଧ୍ୟ ଆକ୍ରମଣ କରିବା ସହ ତାଙ୍କ ସ୍ବାମୀଙ୍କୁ ବାନ୍ଧିଦେଇଥିଲେ। ଏହାପରେ ତାଙ୍କ ସ୍ବାମୀଙ୍କ ଆଗରେ ତାଙ୍କୁ ସେମାନେ ବଳାତ୍କାର କରିଥିଲେ। ପୀଡ଼ିତାଙ୍କ ଏଭଳି ଅଭିଯୋଗକୁ ଆଧାର କରି ପୋଲିସ ଆଇପିସି ଦଫା ୩୭୬(ବି) ଅନୁଯାୟୀ ୯/୨୪ ନମ୍ବରରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଏଥିସହ ପୋଲିସ ମହିଳା ଏବଂ ଅଭିଯୁକ୍ତଙ୍କୁ ଡାକ୍ତରୀ ମାଇନା ପାଇଁ ପଠାଇଛି।

ଗର୍ଭବତୀଙ୍କୁ ଗଣବଳାତ୍କାର ପରେ ନିଆଁ ଲଗାଇଦେଲେ

ମୋରେନା,୧୮।୨ମଧ୍ୟପ୍ରଦେଶର ମୋରେନାରେ ଏକ ଗଣବଳାତ୍କାର ଓ ହତ୍ୟା ଉଦ୍ୟମ ମାମଲା ସାମନାକୁ ଆସିଛି। ଜଣେ ୩୪ ବର୍ଷୀୟା ଗର୍ଭବତୀ ମହିଳାଙ୍କୁ ୩ ଜଣ ବଳାତ୍କାର କରିବା ପରେ ତାଙ୍କ ଦେହରେ ନିଆଁ ଲଗାଇଦେଇଛନ୍ତି। ଫଳରେ ପୀଡ଼ିତାଙ୍କ ଶରୀରର ୮୦ ପ୍ରତିଶତ ପୋଡ଼ିଯାଇଛି। ତାଙ୍କୁ ଗ୍ବାଲିଅରର ଏକ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ମୋରେନା ଜିଲାର ଅମ୍ବାହ ସହର ନିକଟ ଚାନ୍ଦ କା ପୁରା ଗ୍ରାମରେ ଏଭଳି ଘଟଣା ଘଟିଛି। ପୋଲିସ କହିବା ଅନୁଯାୟୀ, ପୀଡ଼ିତାଙ୍କ ସ୍ବାମୀଙ୍କ ବିରୋଧରେ ଗାଁର ଅନ୍ୟ ଜଣେ ମହିଳା ପୂର୍ବରୁ ବଳାତ୍କାର ଅଭିଯୋଗ ଆଣିଥିଲେ। ଏହାର ସମାଧାନ ପାଇଁ ପୀଡ଼ିତା ଜଣକ ସମ୍ପୃକ୍ତ ମହିଳାଙ୍କ ଘରକୁ ଯାଇଥିବାବେଳେ ଅଭିଯୋଗର ସମାଧାନ ପରିବର୍ତ୍ତେ ସେଠାରେ ଉପସ୍ଥିତ ଥିବା ୩ ଜଣ ଲୋକ ଗର୍ଭବତୀ ଜଣକୁ ଗଣବଳାତ୍କାର କରିଥିଲେ। ପରେ ୩ ଅଭିଯୁକ୍ତ ସମ୍ପୃକ୍ତ ମହିଳାଙ୍କ ସହ ମିଶି ପୀଡ଼ିତାଙ୍କ ଉପରେ ଇନ୍ଧନ ଢାଳି ନିଆଁ ଲଗାଇଦେଇଥିଲେ। ପୀଡ଼ିତା ମାଜିଷ୍ଟ୍ରେଟ୍‌ଙ୍କ ଆଗରେ ବୟାନ ରେକର୍ଡ କରାଇଥିବାବେଳେ ପୋଲିସ ଏପର୍ଯ୍ୟନ୍ତ ବୟାନ ରେକର୍ଡ କରିନାହିଁ। ତଦନ୍ତ ଜାରି ରହିଥିବାବେଳେ ଖୁବ୍‌ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି।

Share