ବଳାତ୍କାରୀଙ୍କୁ ଆଉ କ୍ଷମା ନାହିଁ: କରି ଦିଆଯିବ ନପୁଂସକ

ଇସଲାମାବାଦ୍‌,୧୬।୧୨: ବଳାତ୍କାରୀଙ୍କୁ ଏବେ ପାକିସ୍ତାନରେ ଆଉ କ୍ଷମା ଦିଆଯିବ ନାହିଁ। ଦୋଷୀଙ୍କୁ ନପୁଂସକ କରି ଦିଆଯିବ। ଏନେଇ ଏକ କ୍ୟାବିନେଟ୍‌ ପ୍ରସ୍ତାବକୁ ରାଷ୍ଟ୍ରପତି ଆରଫ୍‌ ଆଲଭି ମଞ୍ଜୁରୀ ଦେଇଛନ୍ତି। ଏହାଦ୍ୱାରା ଏହା ଏବେ ଆଇନରେ ପରିଣତ ହୋଇଛି। ରାସାୟନିକ ପଦାର୍ଥ ବ୍ୟବହାର କରି ବଳାତ୍କାରୀଙ୍କୁ ଏଣିକି ନପୁଂସକ କରି ଦିଆଯିବ। ଦେଶରେ ବଳାତ୍କାର ମାମଲା ବଢୁଥିବାରୁ ଗତମାସରେ ବଳାତ୍କାର ନିରୋଧୀ ଆଇନ ଅଣାଯିବା ନେଇ କ୍ୟାବିନେଟରେ ଆଲୋଚନା କରାଯାଇଥିଲା। ଏହାସହିତ ବଳାତ୍କାର ମାମଲା ଗୁଡ଼ିକର ବିଚାର ପାଇଁ ଦେଶରେ ବିଶେଷ କୋର୍ଟ ସ୍ଥାପନ କରାଯିବ। ଏଭଳି ମାମଲାର ଶୁଣାଣି ସହିତ ବିଚାର ଶୀଘ୍ର କରାଯିବ ବୋଲି ନୂଆ ଆଇନରେ ଉଲ୍ଲେଖ କରାଯାଇଛି। ୪ ମାସ ମଧ୍ୟରେ ଶୁଣାଣି କରାଯିବା ଲାଗି ସରକାରଙ୍କ ପକ୍ଷରୁ କୁହାଯାଇଛି। ପୀଡ଼ିତାଙ୍କ ଯାଞ୍ଚ୍‌ ୬ ଘଣ୍ଟା ମଧ୍ୟରେ କରାଯିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ମିଛ ସୂଚନା ଦେଉଥିବା ଅଧିକାରୀଙ୍କ ପ୍ରତି କଠୋର ଦଣ୍ଡବିଧାନ କରାଯିବା ଲାଗି କୁହାଯାଇଛି।

Share