ବାରିପଦା ଅଫିସ,୨୨।୧୨: ମୟୂରଭଞ୍ଜ ଜିଲା ବାରିପଦା ଅତିରିକ୍ତ ଜିଲା ଓ ଦୌରାଜଜ୍ ତଥା ସ୍ବତନ୍ତ୍ର ପୋକ୍ସୋ କୋର୍ଟରେ ବୁଧବାର ଏକ ନାବାଳିକା ବଳାତ୍କାର ମାମଲାର ରାୟ ପ୍ରକାଶ ପାଇଛି। ଜଜ୍ ସୁମିତା ଜେନା ମାମଲାର ବିଚାର କରି ଦୋଷୀ ଶିବାନୀ ସିଂ(୨୫)ଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ୬ ମାସ ଜେଲଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି। ସେହିପରି ଘଟଣାରେ ସମ୍ପୃକ୍ତ ସହଯୋଗୀ ଶ୍ୟାମ ସୁନ୍ଦର ସିଂ(୩୧)ଙ୍କୁ ୬ ବର୍ଷ କାରାଦଣ୍ଡ ସହ ୩ହଜାର ଟଙ୍କା ଜରିମାନା ଓ ଅନାଦେୟ ଅଧିକ ୩ମାସ ଜେଲଦଣ୍ଡ ଭୋଗିବାକୁ ରାୟରେ ପ୍ରକାଶ କରିଛନ୍ତି ।
୨୦୧୬ ମଇ ୧୨ ତାରିଖରେ ବୈଶିଙ୍ଗା ଥାନା ଅଞ୍ଚଳର ଜନୈକା ନାବାଳିକା ଶୌଚ ପାଇଁ ନିକଟସ୍ଥ କ୍ଷେତକୁ ଯାଇଥିଲେ। ସେତିକିେବେଳେ ଅଭିଯୁକ୍ତ ଶିବାନୀ ତାଙ୍କୁ ବଳାତ୍କାର କରିଥିଲେ। ଅନ୍ୟତମ ଅଭିଯୁକ୍ତ ଶ୍ୟାମ ସୁନ୍ଦର ପୀଡ଼ିତାଙ୍କ ମୁହଁକୁ ଚାପି ଧରିଥିଲେ। ଘଟଣା ବାବଦରେ ପରିବାର ଲୋକକୁ ଜଣାଇଲେ ଜୀବନରେ ମାରିଦେବୁ ବୋଲି ଉଭୟେ ଧମକ ଦେଇଥିଲେ। ହେଲେ ନାବାଳିକା ଜଣକ ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ। ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ସରକାରୀ ଆଇନଜୀବୀ ଅଭିନ୍ନ କୁମାର ପଟ୍ଟନାୟକ ମାମଲା ପରିଚଳାନା କରୁଥିଲେ।