ଜୟପୁର,୧୧ା୧୧(ନି.ପ୍ର.): ନାବାଳିକା ବଳାତ୍କାର ମାମଲାର ବିଚାର କରି ବିଚାରପତି ପ୍ରଦୀପ କୁମାର ସାସମଲ ଗୁରୁବାର ଅଭିଯୁକ୍ତ ବଦଳିଗୁଡ଼ାର ବିପିନ ସୁନା(୨୩)ଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦାୟ ଅଧିକ ୬ ମାସ ଜେଲଦଣ୍ଡ ଭୋଗିବାକୁ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି।
ମାମଲା ବିବରଣୀରୁ, ୨୦୧୯ ଫେବୃୟାରୀ ୧୦ ତାରିଖରେ ଜଣେ ନାବାଳିକା ଡ୍ରେସ୍ କିଣିବାକୁ କୋରାପୁଟ ଆସୁଥିଲେ। ବାଟରେ ବିପିନ ତାଙ୍କୁ ଟେକିନେଇ ନିକଟସ୍ଥ ସୁକିଆ ପାହାଡ଼ରେ ବଳାତ୍କାର କରିଥିଲେ। ଏନେଇ ନାବାଳିକା ପରିବାରଙ୍କୁ ଘଟଣା ସଂକ୍ରାନ୍ତରେ ଜଣାଇ ଥିଲେ। ପରିବାର ଲୋକେ ୧୪ ତାରିଖରେ କୋରାପୁଟ ଟାଉନ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ବଳାତ୍କାର ମାମଲା ରୁଜୁ କରି ଅଭିଯୁକ୍ତ ବିପିନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ୭ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ବିଚାରପତି ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି। କୋର୍ଟ ଯେଉଁ ଆର୍ଥତ୍କ ଜରିମାନା କରିଛନ୍ତି ଅଭିଯୁକ୍ତ ପୈଠ କରିବା ପରେ ପୀଡ଼ିତା ନାବାଳିକାଙ୍କୁ ପ୍ରଦାନ କରାଯିବ। ଏଥିସହ ତାଙ୍କୁ ୧ ଲକ୍ଷ ଟଙ୍କା ଆର୍ଥତ୍କ ସହାୟତା ଦେବାକୁ ବିଚାରପତି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ମାମଲାକୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ସୁଧୀର ତ୍ରିପାଠୀ ପରିଚାଳନା କରୁଥିଲେ।