Categories: ଜାତୀୟ

୨୪ ଦିନରେ ବଳାତ୍କାରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ

ଜୟପୁର, ୨୩।୧୦: ରାଜସ୍ଥାନରେ ଜଣେ ୭ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ମାମଲାର ବିଚାର ୨୪ ଦିନ ମଧ୍ୟରେ ଶେଷ ହୋଇଛି। ସ୍ବତନ୍ତ୍ର କୋର୍ଟ ମାମଲାର ବିଚାର କରି ଅଭିଯୁକ୍ତ ତଥା ପୀଡିତାଙ୍କ ମାମୁ ଦୀନେଶ ଜାଟ୍‌ଙ୍କୁ ଶୁକ୍ରବାର ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି। କୋର୍ଟଙ୍କ ଏଭଳି ଦଣ୍ଡାଦେଶକୁ ସ୍ବାଗତ କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ।

ଗତ ସେପ୍ଟେମ୍ବର ୨୦ରେ ଦୀନେଶ ନାବାଳିକା ଭାଣଜୀଙ୍କୁ ଉପହାର ପ୍ରଲୋଭନ ଦେଖାଇ ତାଙ୍କ ଘରୁ ନେଇଯାଇଥିଲେ। ସେଠାରେ ସେ ତାଙ୍କୁ ବଳାତ୍କାର କରି ହତ୍ୟା କରିଥିଲେ। ପରବର୍ତ୍ତୀ ସମୟରେ ଏକ ବିଲରୁ ପୀଡିତାଙ୍କ ମୃତଦେହ ମିଳିଥିଲା। ଏନେଇ ନାବାଳିକାଙ୍କ ବାପା ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରିବା ସହ ଆଜମେର ରେଞ୍ଜ ଆଇଜିଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍‌ ନାଗୋରେରେ ପହଞ୍ଚତ୍ ତଥ୍ୟ ପ୍ରମାଣ ସଂଗ୍ରହ କରିଥିଲା। ୬ ଦିନରେ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ମେର୍ଟା ସହରର ପୋକ୍ସୋ କୋର୍ଟରେ ହାଜର କରାଯାଇଥିଲା। ସେପ୍ଟେମ୍ବର ୨୮ରୁ ସାକ୍ଷୀଙ୍କୁ ଡକାଯାଇ ବୟାନ ରେକର୍ଡ କରାଯିବା ସହ ଦୀନେଶ ଦୋଷୀ ବୋଲି ପ୍ରମାଣ କରାଯାଇଥିଲା। ଶେଷରେ କୋର୍ଟ ତାଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିବା ପୋଲିସ ମହାନିର୍ଦ୍ଦେଶକ ଏମ୍‌.ଏଲ୍‌. ଲାଥର କହିଛନ୍ତି।

Share