ଷ୍ଟେଜରେ ପରଫର୍ମ କରୁଥିବା ସମୟରେ ର‌୍ୟାପର କୋଷ୍ଟା ଟିଚଙ୍କ ପରଲୋକ, ସାମ୍ନାକୁ ଆସିଲା ମୃତ୍ୟୁ ପୂର୍ବର ଭିଡିଓ

ଜୋହାନସବର୍ଗ,୧୨ ।୩: ଦକ୍ଷିଣ ଆଫ୍ରିକାର ର‌୍ୟାପର ଓ ମ୍ୟୁଜିସିୟାନ କୋଷ୍ଟା ଟିଚ ଜୋହାନସବର୍ଗରେ ଏକ କନସର୍ଟରେ ପରଫର୍ମ କରୁଥିବା ସମୟରେ ବେହୋସ ହୋଇ ପଡିଯାଇଥିଲେ । ଏହି ସମୟରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି କୁହାଯାଉଛି । ତାଙ୍କୁ ମାତ ୨୭ ବର୍ଷ ବୟସ ହୋଇଥିଲା । ହେଲେ ତାଙ୍କ ପରଲୋକ ହୋଇଥିବା ଖବରର ଅଫିସିଆଲି କୌଣସି ଘୋଷଣା କରାଯାଇନାହିଁ । ବିଭିନ୍ନ ଆର୍ଟିଷ୍ଟ, ମ୍ୟୁଜିସିଆନ ନେଟୱର୍କ ଓ ପ୍ରଶଂସକ ସେମାନଙ୍କର ସମବେଦନା ବ୍ୟକ୍ତ କରିଛନ୍ତି, ଏମାନଙ୍କ ମଧ୍ୟରେ ଦକ୍ଷିଣ ଆଫ୍ରିକାର ସଂସଦର ସଦସ୍ୟ ଜୁଲିୟସ ସେଲୋ ମଲେମା ବି ସାମିଲ ଅଛନ୍ତି ।
କୋଷ୍ଟା ଟିଚ ଜୋହାନସ ବର୍ଗରେ ଅଲଟ୍ରା ସାଉଥ ଆଫ୍ରିକା ମ୍ୟୁଜିକ କନସର୍ଟରେ ପରଫର୍ମ କରୁଥିଲେ, ସେତେବେଳେ ହିଁ ଏହି ଘଟଣା ଘଟିଥିଲା । ଏହି ସମୟର କିଛି ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ଯେଉଁଥିରେ ସେ ଷ୍ଟେଜ ଉପରେ ପଡିଯାଉଥିବା ଦେଖାଯାଇଛି । ଭିଡିଓରେ ଦେଖିବାକୁ ମିଳିଛି, ସେ ପ୍ରଥମେ ପଡିଯାଉଥିବା ବେଳେ ନିଜକୁ ସମ୍ଭାଳି ନେଇଛନ୍ତି ହେଲେ କିଛି ସମୟ ପରେ ସେ ବେହୋସ ହୋଇଯାଇଛନ୍ତି ଓ ଆଉ ହୋସକୁ ଫେରି ନାହାନ୍ତି । ହେଲେ ଏବେ ପର୍ଯ୍ୟନ୍ତ ତାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ ।

Share