ସମିତାଙ୍କୁ ପ୍ରେମିକା ବଦଳରେ ଭଲ ବନ୍ଧୁ ବୋଲି କହିଲେ ରାକେଶ

ବମ୍ବେ: ପ୍ରେମିକା ବଦଳରେ ଅଭିନେତ୍ରୀ ସମିତା ସେଟ୍ଟୀଙ୍କୁ ଭଲ ବନ୍ଧୁ କହି ଚର୍ଚ୍ଚାରେ ଅଭିନେତା ରାକେଶ ବାପଟ। ବିଗ୍‌ବସ୍‌ରେ ପରସ୍ପରକୁ ଭେଟିଥିଲେ ଦୁହେଁ। ସେବେଠାରୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ଧିରେ ଧିରେ ଆଗକୁ ବଢ଼ିଥିଲା। ଶୋ’ ଶେଷ ହେବା ପରେ ସେମାନେ ଏକାଧିକ ଥର ପରିବାର ସହ ନଚେତ ଡିନର୍‌ ଡେଟ୍‌ରେ ନଜର ଆସିଥିଲେ। ହେଲେ ଗତ କିଛି ଦିନ ଧରି ସମିତା-ରାକେଶଙ୍କ ମଧ୍ୟରେ ସବୁକିଛି ଠିକ୍‌ ଚାଲି ନାହିଁ। ଉଭୟଙ୍କ ବ୍ରେକ୍‌ଅପ୍‌ ହୋଇଥିବା ନେଇ ଚର୍ଚ୍ଚା ହେଉଛି। ଏବେ ରାକେଶଙ୍କ ବୟାନ ନିଆଁରେ ଘିଅ ଢ଼ାଳିବା ପରି କାମ କରିଛି।

ଏକ ସାକ୍ଷାତକାରରେ ରାକେଶ କହିଛନ୍ତି, ସମିତା ତାଙ୍କର ଜଣେ ବନ୍ଧୁ। ଉଭୟଙ୍କ ଭିତରେ କେବଳ ଏକ ସ୍ବତନ୍ତ୍ର ଡୋର ରହିଛି, ତାକୁ କୌଣସି ସମ୍ପର୍କର ନାଁ ଦେବା ଠିକ୍‌ ନୁହେଁ। ଏବେ ଉଭୟ ଉଭୟଙ୍କ ସହ ସମୟ ଅତିବାହିତ କରି ଖୁସି ଅଛନ୍ତି। ସମିତାଙ୍କୁ ସେ ସମ୍ମାନ କରନ୍ତି ବୋଲି ରାକେଶ କହିଛନ୍ତି।

କହିରଖୁଛୁ, ବିଗ୍‌ବସ୍‌ ଓଟିଟିରେ ପ୍ରତିଯୋଗୀ ଭାବେ ରାକେଶ ଏବଂ ସମିତାଙ୍କୁ ଦେଖିବାକୁ ମିଳିଥିଲା। ଉକ୍ତ ଘରେ ପ୍ରଥମେ ବନ୍ଧୁ ହେବା ପରେ ସେମାନେ ପରସ୍ପରର ନିକଟତର ହୋଇଥିଲେ। ଏହାପରେ ବିଗ୍‌ବସ୍‌ର ଟେଲିଭିଜନ୍‌ ସିଜନ୍‌ରେ ସମିତା ପୁନର୍ବାର ଭାଗନେଇ ଉତ୍କର୍ଷ ପ୍ରଦର୍ଶନ କରିଥିଲେ। ସେଠାରେ ମଧ୍ୟ ରାକେଶଙ୍କ ସହ ତାଙ୍କର ପ୍ରେମକାହାଣୀ ଦେଖିବାକୁ ମିଳିଥିଲା। ବାହାରେ ତାଙ୍କର ପ୍ରଶଂସକ ‘ସାରା’ ବୋଲି ଏହି ଯୋଡ଼ିକୁ ହ୍ୟାସଟ୍ୟାଗ୍‌ ଦେଇଥିଲେ। ଏବେ କିନ୍ତୁ ଏସବୁ ବେଶି ଦିନ ଚାଲିବ ନାହିଁ ବୋଲି କୁହାଯାଉଛି।

Share