Categories: ବାଣିଜ୍ୟ

ସ୍ପର୍ଶ ହସ୍ପିଟାଲରେ ବିରଳ ୩୬୦ଂ ଫ୍ୟୁଜନ ସର୍ଜରି

ଭୁବନେଶ୍ୱର,୨୫।୧(ଅନୁରାଧା ମହାରଣା): ଭୁବନେଶ୍ୱର ଶହୀଦନଗରସ୍ଥିତ ସ୍ପର୍ଶ ହସ୍ପିଟାଲରେ ବିରଳ ୩୬୦ଂ ଫ୍ୟୁଜନ୍‌ ସର୍ଜରି ସଫଳ ହୋଇଛି। ଏହା ସଫଳ ହେବାରୁ ଢେଙ୍କାନାଳ ଅଞ୍ଚଳର ଜଣେ ୪୭ ବର୍ଷୀୟ ବ୍ୟକ୍ତିଙ୍କ ଜୀବନରକ୍ଷା ହୋଇପାରିଛି। ବ୍ୟକ୍ତି ଜଣକ ଓଜନିଆ ଜିନିଷ ଉଠାଉଥିବାବେଳେ ଟ୍ରାକ୍ଟର ଉପରୁ ତଳକୁ ପଡ଼ିଯାଇ ଆହତ ହୋଇଥିଲେ। ମେରୁଦଣ୍ଡର ସି-୬ ଓ ସି-୭ ହାଡ ଭାଙ୍ଗି ବିସ୍ଥାପିତ ହୋଇଯାଇଥିବାବେଳେ ୧୦ ଜାନୁଆରୀରେ ଏହି ସର୍ଜରି କରାଯାଇଥିଲା। ବରିଷ୍ଠ ନ୍ୟୁରୋ ଓ ସ୍ପାଇନ୍‌ ସର୍ଜନ ଡା. ସନାତନ ଶତପଥୀଙ୍କ ତତ୍ତ୍ୱାବଧାନରେ ୧୨ଜଣିଆ ଟିମ୍‌ ଏହି ସର୍ଜରିରେ ସାମିଲ ଥିଲେ। ବୁଧବାର ହସ୍ପିଟାଲ ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏହି ବିରଳ ସରକମ୍‌ଫେରେନସିଆଲ୍‌ ଫ୍ୟୁଜନ ସର୍ଜରି ସମ୍ପର୍କରେ ଡା. ଶତପଥୀ ସୂଚନା ଦେଇଛନ୍ତି। ୨୦୦୦ରୁ ଅଧିକ ସର୍ଜରି କରିସାରିଥିବା ଡା. ଶତପଥୀ କହିଛନ୍ତି, ଏହି ସର୍ଜରି ତାଙ୍କ ପାଇଁ ସହଜ ନ ଥିଲା। ରୋଗୀ ପ୍ରତି ହୃଦ୍‌ଘାତ, ୪ ଅଙ୍ଗ ପକ୍ଷଘାତ, ରେସ୍ପିିରେଟୋରି ଫେଲୁଅର୍‌ ଭଳି ଭୟ ରହିଥିବାବେଳେ ୨ଟି ପର୍ଯ୍ୟାୟରେ ଏହି ସର୍ଜରି କରାଯାଇଥିବା ସେ କହିଛନ୍ତି। ୭ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମରେ ଟିମ୍‌ ଏହି ସଫଳତା ପାଇଥିଲା। ହସ୍ପିଟାଲର ଜେନେରାଲ ମ୍ୟାନେଜର (ଆଡମିନିଷ୍ଟ୍ରେଶନ ଆଣ୍ଡ ବିଜ୍‌ନେସ୍‌ ଡେଭେଲପ୍‌ମେଣ୍ଟ) ସୌମେନ୍ଦ୍ର ନାରାୟଣ ମିଶ୍ର ଏବଂ ସ୍ପର୍ଶ ହେଲ୍‌ଥ କେୟାର ଗ୍ରୁପ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡା. ଅନୁଜ ତିଓ୍ବାରୀ ସର୍ଜରି କରିଥିବା ଟିମ୍‌ର ଉଦ୍ୟମକୁ ପ୍ରଶଂସା କରିଛନ୍ତି। ସର୍ଜରି କରାଯାଇଥିବା ବ୍ୟକ୍ତି ଜଣଙ୍କ ଖବରଦାତା ସମ୍ମିଳନୀରେ ଉପସ୍ଥିତ ରହିଥିଲେ। ଚିକିତ୍ସା ବାବଦକୁ ପ୍ରାୟ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଇଏସ୍‌ଆଇ ବୀମା ସହାୟକ ହୋଇଥିବା ସେ ସୂଚନା ଦେବା ସହ ଡାକ୍ତରୀ ଟିମ୍‌କୁ କୃତଜ୍ଞତା ଜଣାଇଛନ୍ତି।

Share