ବିରଳ ମହାଜାଗତିକ ଦୃଶ୍ୟ, ପାଖାପାଖି ହେଲେ ପୃଥିବୀ-ଶନି…

ଓ୍ବାଶିଂଟନ,୨।୮: ଆମର ସୌରମଣ୍ଡଳରେ ସୋମବାର ଏକ ବିରଳ ମହାଜାଗତିକ ଦୃଶ୍ୟ ଘଟିଛି। ଭାରତୀୟ ସମୟ ପୂର୍ବାହ୍ନ ୧୧ଟା ୩୦ରେ ଶନିଗ୍ରହ ପୃଥିବୀର ଅତି ନିକଟତର ହୋଇଛି। ସୂର୍ଯ୍ୟ ଚାରିପଟେ ଘୂରି ବୁଲିବା ସମୟରେ ଶନି ପୃଥିବୀ ସହିତ ଏକ ସରଳ ରେଖାରେ ରହିଛନ୍ତି। ଉଭୟଙ୍କ ମଧ୍ୟରେ ହାରାହାରି ଦୂରତା ପ୍ରାୟ ୧୨୦ କୋଟି କିଲୋମିଟର ରହିଥିବାର ମହାକାଶ ଗବେଷଣା କେନ୍ଦ୍ର ନାସା କହିଛି। ଭାରତରେ ଏହା ଦିନ ହୋଇଥିବାରୁ ଏହା ଦେଖିବା ସମ୍ଭବ ନୁହେଁ। କିନ୍ତୁ ଯେଉଁଠି ରାତି ହୋଇଥିବ ସେଠାରେ ଲୋକେ ଏକ ଉଜ୍ଜ୍ୱଳ ଶନିଗ୍ରହକୁ ଦେଖି ପାରିବେ। ଏହି ମହାଜାଗତିକ ଦୃଶ୍ୟକୁ ବିନା ସୁରକ୍ଷା ଚଷମାରେ ଖାଲି ଆଖିରେ ସହଜରେ ଦେଖିହେବ। ପୃଥିବୀ ସୂର୍ଯ୍ୟ ଚାରିପଟେ ଥରେ ଘୂରିବା ପାଇଁ ପ୍ରାୟ ୩୬୫ ଦିନ ୬ ଘଣ୍ଟା ସମୟ ନେଇଥାଏ। ଅପରପକ୍ଷରେ ଶନି ସୂର୍ଯ୍ୟ ଚାରିପଟେ ଗୋଟିଏ ଥର ଘୂରିବାକୁ ୨୯.୫ ବର୍ଷ ସମୟ ନେଇଥାଏ। ଏହି ମହାଜାଗତିକ ଦୃଶ୍ୟ ପ୍ରତି ବର୍ଷେ ୧୩ ଦିନ ଅନ୍ତରରେ ଦୃଶ୍ୟମାନ ହୋଇଥାଏ। ପୃଥିବୀ ଏବଂ ଶନି ନିଜ ନିଜ କକ୍ଷପଥରେ ଗତି କରିବା ସମୟରେ ପରସ୍ପରର ନିକଟତର ହୋଇଥାନ୍ତି। ଏହାପୂର୍ବରୁ ୨୦୨୦ ଜୁଲାଇ ୨୦ରେ ଉଭୟ ଗ୍ରହ ପରସ୍ପରର ନିକଟତର ହୋଇଥିଲେ। ଏଭଳି ଦୃଶ୍ୟ ପୁଣି ୨୦୨୨ ଅଗଷ୍ଟ ୧୪ରେ ଦେଖିବାକୁ ମିଳିବ ବୋଲି ନାସାର ବୈଜ୍ଞାନିକ ସୂଚନା ଦେଇଛନ୍ତି।

Share