ପାରାଦୀପ ବେଳାଭୂମିରୁ ବିରଳ ମୃତ ସ୍ପିନ୍ନର ଡଲ୍‌ଫିନ ଜବତ

ପାରାଦୀପ, ୧।୭(ସ୍ବ.ପ୍ର.): ପାରାଦୀପ ବେଳାଭୂମିର ହନୁମାନ ମନ୍ଦିର ପଛପଟେ ବୁଧବାର ସକାଳୁ ଏକ ମୃତ ସ୍ପିନ୍ନର ଡଲ୍‌ଫିନ ଦେଖିବାକୁ ମିଳିଥିଲା। ସେହି ଡଲ୍‌ଫିନକୁ କେତେଜଣ ଲୋକ ବାଲିରେ ପୋତି ଦେଇଥିଲେ। ଏହି ଖବର ଗଣମାଧ୍ୟମ ପ୍ରତିନିଧିମାନେ ଜାଣିବା ପରେ ବନ ବିଭାଗକୁ ସୂଚନା ଦେଇଥିଲେ। ପରେ କୁଜଙ୍ଗ ବନାଞ୍ଚଳ ପକ୍ଷରୁ କର୍ମଚାରୀମାନେ ଆସି ବାଲିରେ ପୋତା ଯାଇଥିବା ଡଲ୍‌ଫିନକୁ ଜବତ କରିଥିଲେ। ମୃତ୍ୟୁର କାରଣ ଜାଣିବାକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ବୋଲି ରେଞ୍ଜର ମନୋଜ ମିଶ୍ର କହିଛନ୍ତି। ମୃତ ଡଲ୍‌ଫିନ ଅତ୍ୟନ୍ତ ବିରଳ ପ୍ରଜାତିର ବୋଲି ସେ କହିଛନ୍ତି। ମୃତ ଡଲ୍‌ଫିନର ଓଜନ ୩୦ କିଗ୍ରା, ଲମ୍ବ ସାଢ଼େ ୪ ଫୁଟ। ଏହି ଡଲ୍‌ଫିନ ବ୍ରାଜିଲ, ଫ୍ରାନ୍ସ ସମୁଦ୍ର ସୀମାରେ ଅଧିକ ଦେଖାଯାଇଥାନ୍ତି। ଏହି ଡଲ୍‌ଫିନର ଥଣ୍ଟ ଲମ୍ବା ଓ ଗୋଜିଆ। ଉପରି ଭାଗ କଳା। କେହି ମତ୍ସ୍ୟଜୀବୀ ଜାଲରେ ଛନ୍ଦି ହୋଇ ମୃତ୍ୟୁ ଘଟିଛି ବୋଲି ଆଲୋଚନା ହେଉଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରେଞ୍ଜର ମିଶ୍ର କହିଛନ୍ତି। ଏ ନେଇ ଏକ ଅପମୃତ୍ୟୁ ମାମଲା କରାଯିବ। ସୂଚନାଯୋଗ୍ୟ, ପାରାଦୀପର ମହାନଦୀ ମୁହାଣ ନିକଟରେ କିଛିବର୍ଷ ହେଲା ଥଣ୍ଟିଆ ଡଲଫିନ୍‌ ଦଳ ଦଳ ହୋଇ ଶୀତଦିନେ ଖେଳୁଥିବା ଦେଖିବାକୁ ମିଳିଥାଏ।

Share