ନାକରେ ବିରଳ ଅସ୍ତ୍ରୋପଚାର: ସ୍ବାଭାବିକ ହେଲା ଶ୍ୱାସକ୍ରିୟା

କଟକ ଅଫିସ,୨୦ା୨: କଟକ ଜିଲା ଟାଙ୍ଗୀସ୍ଥିତ ପଦ୍ମିନୀ କେୟାର ହସ୍ପିଟାଲରେ ଜଣେ ଯୁବକଙ୍କ ନାକ ସଫଳତାର ସହ ବିରଳ ଅସ୍ତ୍ରୋପଚାର କରାଯାଇଛି। ଫଳରେ ସେ ଏବେ ସ୍ବାଭାବିକ ଭାବେ ନିଃଶ୍ୱାସପ୍ରଶ୍ୱାସ ନେଇପାରୁଥିବାବେଳେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ସେ ହେଲେ ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ହରିଦାସପୁର ଗ୍ରାମର ପ୍ରମୋଦ ବାରିକଙ୍କ ପୁଅ ବାଦଲ ବାରିକ(୨୦)। ଜନ୍ମରୁ ତାଙ୍କର ଦୁଇ ନାକପୁଡା ଭିତର ଭାଗ ବନ୍ଦ ଥିବାରୁ ଶ୍ୱାସକ୍ରିୟାରେ ସମସ୍ୟା ହେଉଥିଲା। ତେଣୁ ସେ ପାଟି ବାଟେ ନିଃଶ୍ୱାସପ୍ରଶ୍ୱାସ ନେଉଥିଲେ। ଅସ୍ତ୍ରୋପଚାର ପାଇଁ ତାଙ୍କୁ ଗତ ୧୩ ତାରିଖରେ ପଦ୍ମିନୀ କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କର୍ଣ୍ଣ, ନାସା, ଗଳା (ଇଏନ୍‌ଟି) ବିଭାଗର ମୁଖ୍ୟ ଡା. ହିମାଂଶୁ ମିଶ୍ରଙ୍କ ତତ୍ତ୍ୱାବଧାନରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ)ରେ ସମସ୍ତ ପରୀକ୍ଷା କରାଯିବା ସହ ତାଙ୍କର ଅସ୍ତ୍ରୋପଚାର କରାଯାଇଛି। ଚିକିତ୍ସା ବିଜ୍ଞାନରେ ଏଭଳି ସମସ୍ୟାକୁ ଚୋନାଲ ଆଟ୍ରେସିଆ କୁହାଯାଇଥାଏ।

Share