ଏମ୍‌କେସିଜିରେ ବିରଳ ଅସ୍ତ୍ରୋପଚାର:୯ ବର୍ଷୀୟା ଝିଅଙ୍କ ଆଡ୍ରେନାଲ ଗ୍ରନ୍ଥି ବାହାରିଲା

ବ୍ରହ୍ମପୁର,୧୬ା୪ (ସୁବାସ ଚନ୍ଦ୍ର ପାଢ଼ୀ):ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମ୍‌କେସିଜି) ମେଡିକାଲରେ ପୁଣି ଏକ ବିରଳ ଅସ୍ତ୍ରୋପଚାର କରାଯାଇଛି। ଡାକ୍ତରଖାନାର ଏଣ୍ଡୋକ୍ରନୋଲୋଜି ବିଭାଗରେ ଭର୍ତ୍ତି ହୋଇଥିବା ଜଣେ ୯ବର୍ଷ ଝିଅର ଶରୀରରେ ମାତ୍ରାଧିକ ହରମୋନ ନିର୍ଗତ ହେଉଥିଲା। ତାହା ରୋକିବା ପାଇଁ ଉଭୟପଟ କିଡନୀ ଉପରେ ରହିଥିବା ଆଡ୍ରେନାଲ ଗ୍ରନ୍ଥିକୁ ଅସ୍ତ୍ରୋପଚାର ପରେ ବାହାର କରାଯାଇଛି। ଏଭଳି ଅସ୍ତ୍ରୋପଚାର ଏମ୍‌କେସିଜିରେ ପ୍ରଥମ ବୋଲି ସୂଚନା ଦିଆଯାଇଛି।
ଗଞ୍ଜାମ ଜିଲା ରମ୍ଭା ନିକଟସ୍ଥ ଖଣ୍ଡଦେଉଳି ଗାଁର ୯ବର୍ଷୀୟା ଝିଅ ମାତ୍ରାଧିକ ଓଜନ ଓ ଉଚ୍ଚ ରକ୍ତଚାପ ଯୋଗୁ ଅସୁସ୍ଥ ହୋଇଥିଲେ। ତାଙ୍କୁ ଗତ ୪ ତାରିଖରେ ଏମକେସିଜି ଏଣ୍ଡୋକ୍ରନୋଲାଜି ବିଭାଗରେ ଭର୍ତ୍ତି କରାଯାଇଥିଲା। ପ୍ରଫେସର ଡା. ପି. ରବି କୁମାରଙ୍କ ନେତୃତ୍ୱରେ ଏକ ଟିମ ବିଭିନ୍ନ ପ୍ରକାର ପରୀକ୍ଷା କରି ରୋଗ ଚିହ୍ନଟ କରିଥିଲେ। ରୋଗୀ ଜଣଙ୍କ ‘ପ୍ରାଇମେରୀ ପିଗମେଣ୍ଟେଡ ନୋଡୁଲାର୍‌ ଆଡ୍ରେନାଲ’ ନାମକ ବିରଳ ଜେନେଟିକ ରୋଗରେ ପୀଡିତ ଥିବା ଜଣାପଡିଥିଲା। ଏହି ରୋଗ ହେଲେ କିଡନୀ ଉପରେ ଥିବା ଉଭୟ ଆଡ୍ରେନାଲ ଗ୍ରନ୍ଥିରୁ ମାତ୍ରାଧିକ ହରମୋନ ନିର୍ଗତ ହୋଇଥାଏ। ଏହାର ଶୀଘ୍ର ଚିକିତ୍ସା କରା ନ ଗଲେ ହୃଦରୋଗ ଏବଂ ଷ୍ଟ୍ରୋକ ହେବା ଆଶଙ୍କା ରହିଥାଏ ବୋଲି ପ୍ରଫେସର ଡା. ରବି କୁମାର କହିଛନ୍ତି। ତେଣୁ ଅସ୍ତ୍ରୋପଚାର ପରେ ଉଭୟ ପାର୍ଶ୍ୱର ଆଡ୍ରେନାଲ ଗ୍ରନ୍ଥି ବାହାର କରାଯାଇଛି। ଏହାପରେ ରୋଗୀଙ୍କୁ ସାରା ଜୀବନ କମ ଡୋଜର ଷ୍ଟେରଏଡ ଦିଆଯିବ।
ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲ ଅଧ୍ୟକ୍ଷ ତଥା ଡିନ ପ୍ରଫେସର ସନ୍ତୋଷ କୁମାର ମିଶ୍ରଙ୍କ ତତ୍ତ୍ବାବଧାନରେ ଅସ୍ତ୍ରୋପଚାର ୋଇଥିବା ବେଳେ ଅଧୀକ୍ଷକ ପ୍ରଫେସର ସୁଚିତ୍ରା ଦାଶ ସହାୟତା କରିଥିଲେ। ଏଣ୍ଡୋକ୍ରନୋଲୋଜି ବିଭାଗର ପ୍ରଫେସର ଡା. ରବି କୁମାର, ଶିଶୁରୋଗ ସର୍ଜରି ବିଭାଗର ଡା. ମାନସ ରଞ୍ଜନ ଦାଶ, ପ୍ରଫେସର ବେଣୁଧର ପାଣିଗ୍ରାହୀ, ପ୍ରଫେସର ଜ୍ଞାନ ପ୍ରକାଶ ସିଂ ପ୍ରମୁଖ ଅସ୍ତ୍ରୋପଚାର କରିଥିଲେ।