ସଫଳ ହେଲା ବିରଳ ଅସ୍ତ୍ରୋପଚାର: ଯୋଡ଼ାହେଲା କଟା ହାତ

ଭୁବନେଶ୍ୱର,୧୦।୭(ବ୍ୟୁରୋ): ସଡକ ଦୁର୍ଘଟଣାରେ କଟିଯାଇଥିବା ଜଣେ ବ୍ୟକ୍ତିଙ୍କ ହାତକୁ ବିରଳ ଅସ୍ତ୍ରୋପଚାର ମାଧ୍ୟମରେ ଯୋଡାଯାଇଛି। କଳିଙ୍ଗ ହସ୍ପିଟାଲରେ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ଜଣେ ୨୪ ବର୍ଷୀୟ ଯୁବକଙ୍କ କଟା ହାତକୁ ଯୋଡିବାରେ ସଫଳ ହୋଇଛନ୍ତି। ସୂଚନା ମୁତାବକ, ପଶ୍ଚିମବଙ୍ଗ ମେଦିନାପୁର ଅଞ୍ଚଳର ଜଣେ ଡ୍ରାଇଭର ଗାଡ଼ିଧରି ଓଡ଼ିଶା ଆସୁଥିବାବେଳେ ଜାତୀୟ ରାଜପଥରେ ଦୁର୍ଘଟଣାର ଶିକାର ହୋଇଥିଲେ। ଏଥିରେ ତାଙ୍କର ଗୋଟିଏ ହାତ ସମ୍ପୂର୍ଣ୍ଣଭାବେ କଟିଯାଇଥିଲା। ତେବେ ଦୁର୍ଘଟଣାର ୬ରୁ ୮ ଘଣ୍ଟା ବିଳମ୍ବରେ ହସ୍ପିଟାଲ ନିଆଯିବାବେଳକୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇପଡ଼ିଥିଲା। ଏହାଛଡ଼ା କଟା ହାତକୁ ମଧ୍ୟ ପୁନଃପ୍ରତିରୋପଣ ପାଇଁ ଭଲ ଭାବେ ସଂରକ୍ଷିତ କରାଯାଇ ନ ଥିଲା। ଏଭଳିସ୍ଥଳେ ରୋଗୀଙ୍କ ବଞ୍ଚତ୍ବା ଓ ହାତ ଯୋଡ଼ିହେବା ଆଶା ଖୁବ୍‌ କମ୍‌ ରହିଥିଲା। ଏଭଳି କ୍ଷେତ୍ରରେ କଟା ହାତକୁ ଯୋଡ଼ିବା ପାଇଁ ଅସ୍ତ୍ରୋପଚାରର ସଫଳତା ହାର ମାତ୍ର ୨ ରୁ ୩% ରହିଥାଏ। ହେଲେ କଳିଙ୍ଗ ହସ୍‌ପିଟାଲ ଡାକ୍ତରମାନେ ଏହି ଅସ୍ତ୍ରୋପଚାର ସଫଳତାର ସହ କରିଛନ୍ତି। ରୋଗୀଙ୍କ କଟା ହାତ ପୁନଃପ୍ରତିରୋପଣ ପରେ ଏବେ ଭଲ ଭାବରେ କାମ କରୁଛି ଏବଂ କ୍ଷତ ମଧ୍ୟ ଭଲ ହୋଇଛି। ବରିଷ୍ଠ ପ୍ଲାଷ୍ଟିକ୍‌ ଓ କସ୍‌ମେଟିକ୍‌ ସର୍ଜନ ଡ. ଅକ୍ଷୟ ରାଉତ ଏବଂ ଅର୍ଥୋପେଡିକ୍‌ ସର୍ଜନ ଡ. ଗୟାଧର ବେହେରାଙ୍କ ନେତୃତ୍ୱରେ ଏହି ଅସ୍ତ୍ରୋପଚାର କରାଯାଇଥିଲା। ଏ ସମ୍ପର୍କରେ ସୂଚନା ଦେଇ ଡ. ରାଉତ କହିଛନ୍ତି, କ୍ଷତିଗ୍ରସ୍ତ ମାଂସପେଶୀ ଓ କଟିଯାଇଥିବା ଅଂଶର ବିଭାଜନ କାରଣରୁ ହାତର ପୁନଃପ୍ରତିରୋପଣ କରିବା ଜଟିଳ ଥିଲା। ମାଂସପେଶୀରୁ ନିଃସୃତ ଟକ୍ସିନ୍‌ ରାଗୀଙ୍କ ପାଇଁ ଘାତକ ହୋଇଥିବାରୁ ଆମକୁ ଅସ୍ତ୍ରୋପଚାର ସମୟରେ ତାହାର ଯତ୍ନ ନେବାକୁ ପଡ଼ିଥିଲା। ହେଲେ ଏସବୁସତ୍ତ୍ୱେ ମଧ୍ୟ ଆମେ ରୋଗୀଙ୍କ ହାତ ଓ ଜୀବନ ବଞ୍ଚାଇବାରେ ସଫଳ ହୋଇଛୁ ବୋଲି ସେ କହିଛନ୍ତି।

Share