କରୋନାରେ ଚାଲିଗଲେ ସୁନ୍ଦରଗଡ଼ ଜିଲାର ବରିଷ୍ଠ ପ୍ରଶାସନିକ ଅଧିକାରୀ ରସାଇ ଲାଗୁରୀ

ସୁନ୍ଦରଗଡ଼,୧୩।୫(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲାର ବରିଷ୍ଠ ପ୍ରଶାସନିକ ଅଧିକାରୀ, ଅତିରିକ୍ତ ଜିଲାପାଳ (ରାଜସ୍ବ) ତଥା ସୁନ୍ଦରଗଡ଼ ଜିଲା ଖଣିଜ ପ୍ରତିଷ୍ଠାନର ସିଇଓ ରସାଇ ଲାଗୁରୀଙ୍କର ଗୁରୁବାର ପରଲୋକ ଘଟିଛି। କିଛିଦିନ ହେଲା ସେ କରୋନାରେ ଆକ୍ରାନ୍ତ ହୋଇ ହୋମ୍‌ ଆଇସୋଲେଶନରେ ରହି ଚିକିତ୍ସାଧୀନ ଥିଲେ।
ଆଜି ସକାଳୁ ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ସ୍ଥାନୀୟ କୋଭିଡ୍‌ ହସ୍ପିଟାଲକୁ ନିଆଯାଇଥିଲା। ମାତ୍ର ସେଠାରେ ତାଙ୍କର ଦେହାନ୍ତ ଘଟିଥିଲା। ପରିବାରରେ ତାଙ୍କ ସ୍ତ୍ରୀ ଏବଂ ଝିଅ ଅଛନ୍ତି।

ତାଙ୍କ ବିୟୋଗରେ ସୁନ୍ଦରଗଡ଼ ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ ଗଭୀର ଶୋକ ପ୍ରକାଶ କରିଛନ୍ତି। ରାଣୀବଗିଚାସ୍ଥିତ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ସୁନ୍ଦରଗଡ଼ ଏଡିଏମ୍‌ ବିଶ୍ୱଜିତ ମହାପାତ୍ର, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ, ଉପଜିଲାପାଳ ଅଭିମନ୍ୟୁ ବେହେରାଙ୍କ ସହ ଡିଏମ୍‌ଏଫ୍‌ର ବହୁ ଅଧିକାରୀ ଉପସ୍ଥିତ ରହି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ସୂଚନାଯୋଗ୍ୟ, ସେ ୨୦୧୮ ଏପ୍ରିଲରେ ସୁନ୍ଦରଗଡ଼ରେ ଅବସ୍ଥାପିତ ହୋଇଥିଲେ। ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପଦବୀ ମଧ୍ୟରେ ସେ ଜିଲା ଭୂ-ଅର୍ଜନ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ।