ସୋନପୁର,୨୮।୧୧(ମୃତ୍ୟୁଞ୍ଜୟ ଶତପଥୀ): ସ୍ବଚ୍ଛ, ସୁସ୍ଥ ଓ ସବୁଜ ମହାନଦୀ ବାର୍ତ୍ତା ନେଇ ପ୍ରତିବର୍ଷ ଭଳି ଚଳିତ ଥର ସୋନପୁର ସହର ତେନ୍ତୁଳିଘାଟସ୍ଥିତ ଭାଗବତ ପାଠାଗାର ପକ୍ଷରୁ ରାଜ୍ୟସ୍ତରୀୟ ନୌଚାଳନା ପ୍ରତିଯୋଗିତା ସୋମବାର ଆୟୋଜିତ ହୋଇଥିଲା। ମହାନଦୀର ଲଙ୍କେଶ୍ୱର ଗଣ୍ଡ ନିକଟରେ ଆୟୋଜିତ ପ୍ରତିଯୋଗିତାରେ ସୁବର୍ଣ୍ଣପୁର, ସମ୍ବଲପୁର, ବଲାଙ୍ଗୀର, କଳାହାଣ୍ଡି, ଝାରସୁଗୁଡା, ବୌଦ୍ଧ ଓ ଅନୁଗୋଳ ଜିଲାରୁ ୩୬ ଯୋଡି ପ୍ରତିଯୋଗୀ ଭାଗ ନେଇଥିଲେ । ବରଗଡ ଜିଲା ତୁରୁମ୍ର ରସାନନ୍ଦ ତରିଆ ଓ ମନୋଜ ପାଣ୍ଡେ ଯୋଡି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସମ୍ବଲପୁରର ରାଧେଶ୍ୟାମ ମହାଳିକ ଓ ପ୍ରଦୀପ ବାଘ ଦ୍ୱିତୀୟ ଏବଂ ବୌଦ୍ଧ ତେନ୍ତୁଳିପାଲିର ମୁକେଶ ବେହେରା ଓ ପ୍ରମୋଦ ସେଠୀ ତୃତୀୟ ସ୍ଥାନ ଅଧିକାର କରିଥିଲେ। ପୁରସ୍କାର ବିତରଣ ଉତ୍ସବରେ ସୁବର୍ଣ୍ଣପୁର ପୌରାଧ୍ୟକ୍ଷା ତାମସି ତାମସ୍ମିତା ନାଏକ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବୟନିକାର ସଭାପତି ପ୍ରକାଶ ମେହେର, ଅବକାରୀ ଅଧୀକ୍ଷକ ସୁମତି ତ୍ରିପାଠୀ, ଅତିରିକ୍ତ ଏସ୍ପି ବୀରେନ୍ଦ୍ର କୁମାର ନାଏକ, ପ୍ରାକ୍ତନ ନଗରପାଳ କଇରୁ ସ୍ବାଇଁ, ପ୍ରକାଶ ସାହୁ, ଅଭିମନ୍ୟୁ କୁଶଳ, ଚକ୍ରାୟୁଧ ନାଏକ, ପ୍ରଭାତ ଦାନୀ ଓ ସୀତାରାମ ମହାପାତ୍ର ଯୋଗଦାନ କରିଥିଲେ । ବିଜେତା ଦଳକୁ ଟ୍ରଫି ସହ ନଗଦ ରାଶି ପ୍ରଦାନ କରାଯାଇଥିଲା। ପାଠାଗାର ସଭାପତି ସୂର୍ଯ୍ୟ ନାରାୟଣ ବେହେରା, ସମ୍ପାଦକ ପବିତ୍ର କୁମାର ସାହୁ, କୋଷାଧ୍ୟକ୍ଷ ବୃଷଭ ବୁଡେକ, ସଭ୍ୟ ବୈଦ୍ୟନାଥ ସାହୁ, ମୁନା ବାରିକ, ସିଦ୍ଧାର୍ଥ କୁମାର ସାହୁ, ଜିତେନ୍ଦ୍ର ନାୟକ, ପ୍ରଶାନ୍ତ ନାଏକ, ଚନ୍ଦନ ସେଠୀ ଓ ଲିକୁ ସେଠୀ ପ୍ରମୁଖ ପ୍ରତିଯୋଗିତା ଆୟୋଜନରେ ସହଯୋଗ କରିଥିଲେ। ସଞ୍ଜୟ କୁମାର ସାହୁ ରେଫରି ଦାୟିତ୍ୱ ତୁଲାଇଥିଲେ ।