ଆଜିଠାରୁ ପ୍ରାୟ ଶହେ ବର୍ଷ ପୂର୍ବେ ଅର୍ଥାତ୍ ୧୯୧୮ମସିହା ଜୁଲାଇ ୯ ତାରିଖରେ ତୋଶିକୋ ଓ ରାସବିହାରୀଙ୍କର ଗୋପନ ବିବାହର ସାକ୍ଷୀ ଥିଲେ ମାତ୍ର ହାତଗଣତି କେଇଜଣ । ଯେଉଁ ବିବାହ ଜାକଜମକରେ ଉଛୁଳି ପଡ଼ିବା କଥା, ସେଠାରେ ବର କିମ୍ବା କନ୍ୟା ପକ୍ଷରୁ କୌଣସି ବନ୍ଧୁବାନ୍ଧବ କିମ୍ବା ସମ୍ପର୍କୀୟ ଉପସ୍ଥିତ ନ ଥିଲେ । ତୋଶିକୋଙ୍କ ମା’ ସେତେବେଳେ ଶଯ୍ୟାଶାୟୀ । ଉପର ମହଲାର ଝର୍କାରୁ ଦେଖିଲେ, ଅତି ସାଧାରଣ ପୋଷାକରେ ତାଙ୍କର ଝିଅ ବାପାଙ୍କ ହାତ ଧରି ବାହାରିଯାଉଛି । ଟ୍ରେନ୍ରେ ଚଢ଼ି ତୋୟାମାଙ୍କ ଘରେ ପହଞ୍ଚିଲେ ।
ସେଠାରେ ତୋଶିକୋଙ୍କ ପାଇଁ ବିବାହ ପୋଷାକ କିଣି ରଖିଥିଲେ ତୋୟାମାଙ୍କ ସ୍ତ୍ରୀ । ତୋଶିକୋଙ୍କୁ ବଧୂ ବେଶରେ ସେ ହିଁ ସଜାଇଦେଲେ । ବିବାହରେ ପିତାଙ୍କ ଭୂମିକା ନିର୍ବାହ କଲେ ତୋୟାମା । ତୋଶିକୋ ସୋମା ହେଲେ ତୋଶିକୋ ବସୁ । ପରବର୍ତ୍ତୀ କାଳରେ ସେ ଜାପାନରେ ପରିଚିତ ହୋଇଥିଲେ – ‘ ଦ ଲିଭିଂ ଫ୍ଲେସ୍ ଶିଲ୍ଡ ଟୁ ଦ ଇଣ୍ଡିଆନ ଇନ୍ ଏକ୍ଜାଇଲ’ ।
ପଶ୍ଚିମବଙ୍ଗରେ ୧୮୮୬ ମସିହା ମେ ୨୫ ତାରିଖରେ ଜନ୍ମିତ ରାସବିହାରୀ ବସୁ ଥିଲେ ବ୍ରିଟିଶ ବିରୋଧୀ ସ୍ବାଧୀନତା ଆନ୍ଦୋଳନର ଜଣେ ଅଗ୍ରଗଣ୍ୟ ନେତା ଏବଂ ଇଣ୍ଡିଆନ ନ୍ୟାଶନାଲ ଆର୍ମି (ଆଇଏନ୍ଏ)ର ଅନ୍ୟତମ ସଙ୍ଗଠକ । ଦିଲ୍ଲୀର ଗଭର୍ନର ଜେନେରାଲ ଏବଂ ଭାଇସ୍ ରାୟ ଲର୍ଡ ହାଉସିଂଙ୍କ ଉପରକୁ ବୋମା ଫିଙ୍ଗିବା ଘଟଣାର ନେତୃତ୍ୱ ନେଇଥିବା କାରଣରୁ ବ୍ରିଟିଶ ପୋଲିସ ବାହିନୀ ତାଙ୍କୁ ଗିରଫ କରିବାକୁ ଚେଷ୍ଟା କରନ୍ତି । କିନ୍ତୁ ରାସବିହାରୀ ବ୍ରିଟିଶ ଗୋଇନ୍ଦା ସଂସ୍ଥା ଆଖିରେ ଧୂଳିଦେଇ ୧୯୧୫ ମସିହାରେ ଜାପାନ ପଳାଇ ଆସିଥିଲେ । ଭାରତ ବାହାରେ ସିଙ୍ଗାପୁରଠାରେ ଆଜାଦ ହିନ୍ଦ୍ ଫୌଜ ଗଠନ କରନ୍ତି ଏବଂ ପରବର୍ତ୍ତୀ କାଳରେ ଆଜାଦ ହିନ୍ଦ୍ ଫୌଜର ପରିଚାଳନା ଭାର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ହାତକୁ ସମର୍ପି ଦିଅନ୍ତି ।
ରହଣି କାଳରେ ତୋଶିକୋ ଏବଂ ରାସବିହାରୀଙ୍କ ପ୍ରେମ ପରବର୍ତ୍ତୀ କାଳରେ ବିବାହରେ ପରିଣତ ହୁଏ ।
ତାଙ୍କୁ ବିବାହକରି ଏଭଳି ଏକ ଜୀବନ ସହ ତୋଶିକୋ ଜଡ଼ିତହେବାକୁ ବାଧ୍ୟ ହୋଇଛନ୍ତି ଭାବି ଭିତରେ ଭିତରେ ଅନୁତାପରେ ଦଗ୍ଧ ହେଉଥିଲେ ରାସବିହାରୀ । ବୋଧହୁଏ ବାଧ୍ୟ ହୋଇ ତାଙ୍କ ପାଦ ସହ ପାଦ ମିଳାଇ ଚାଲିବାର ସଂକଳ୍ପ ନେଇଥିବା ହେତୁ ତୋଶିକୋ ଏଭଳି ଯାଯାବର ଏବଂ ଆତଙ୍କିତ ଜୀବନ ଜିଇଁବାକୁ ବାଧ୍ୟ ହୋଇଛନ୍ତି ।
ରାସବିହାରୀ ତୋଶିକୋଙ୍କୁ ଭଲ ପାଇଛନ୍ତି , କିନ୍ତୁ ଏଯାବତ୍ ତାଙ୍କ ମନର ଅତଳ ଗହୀରକୁ ପରଖି ଦେଖିପାରିନାହାନ୍ତି । ନୀରବରେ ସବୁ ଦାୟିତ୍ୱ ନିର୍ବାହ କରୁଛନ୍ତି ତୋଶିକୋ । ଆବେଗର ବହିଃ ପ୍ରକାଶରେ ମଧ୍ୟ ଅତି ସଂଯମୀ ନବବଧୂ ତୋଶିକୋ ।
@ଯତେବେଳେ ସେମାନେ ଚିରାୟ ସମୁଦ୍ର କୂଳର ଗୋଟିଏ ଘରେ ବସବାସ କରୁଥିଲେ ସେତେବେଳେ ହଠାତ୍ ଦିନେ ରାସବିହାରୀ ତୋଶିକୋଙ୍କୁ ପ୍ରଶ୍ନଟି ପଚାରି ଦେଇଥିଲେ –”ତୁମେ ମୋତେ ବିବାହ କରିଛ, କିନ୍ତୁ ମୋତେ କ’ଣ ସତରେ ପ୍ରାଣଦେଇ ଭଲପାଇଛ? “ ପ୍ରଶ୍ନର ଆକସ୍ମିକତାରେ ନିଷ୍ପଳକ ସ୍ବାମୀଙ୍କୁ ଚାହିଁ ରହିଲେ ତୋଶିକୋ । ଦୁଇ ଆଖିରୁ ବୋହୁଥାଏ ଧାର ଧାର ଲୁହ ।
ଅସ୍ଥିର ରାସବିହାରୀ ତଥାପି ବେପରୁଆ, ଉତ୍ତେଜିତ । କହି ଚାଲିଥାନ୍ତି – ”କୁହ , ତୁମେ କ’ଣ ମୋ ପାଇଁ ଜୀବନ ଦେଇପାରିବ ?“
ରାସବିହାରୀଙ୍କ କଥା ଶେଷ ନ ହେଉଣୁ ତୀର ବେଗରେ ଖୋଲା ଝର୍କା ଆଡ଼କୁ ଧାଇଁଲେ ତୋଶିକୋ । ଝର୍କାରୁ ଡେଇଁ ଜୀବନ ହାରିବେ । ଧାଇଁଯାଇ ପଛରୁ ତାଙ୍କୁ ଜାବୁଡ଼ି ଧରିଲେ ରାସବିହାରୀ ।
ଏକ ଆଶ୍ଚର୍ଯ୍ୟ ପ୍ରେମକାହାଣୀ । ସରଳ ଗାଣିତିକ ହିସାବରେ ଯାହାର ମିଆଦ ମାତ୍ର ଆଠବର୍ଷ । ତୋଶିକୋଙ୍କ ଅକାଳ ମୃତ୍ୟୁ ପରେ ଅବଶିଷ୍ଟ ଜୀବନ ସେହି ଭଲପାଇବାକୁ ଛାତି ତଳେ ଜାବୁଡ଼ିଧରି ଜୀବନ ଜିଇଁଥିଲେ ରାସବିହାରୀ । ତୋଶିକୋଙ୍କ ମା’ କୋକୋ ତାଙ୍କୁ ପୁଣିଥରେ ବିବାହ କରିବାର ପ୍ରସ୍ତାବ ଦେଇଥିଲେ । ରାସବିହାରୀ ହସି ଉତ୍ତର ଦେଇଥିଲେ -” ତୋଶିକୋ ବ୍ୟତୀତ ଅନ୍ୟ କାହାକୁ ଭଲପାଇବା ମୋ ପକ୍ଷରେ ଏ ଜୀବନରେ ଆଦୌ ସମ୍ଭବ ନୁହେଁ । ସେହି ୮ ବର୍ଷର ନିର୍ଜନ ଜୀବନ ପରି ତୋଶିକୋ ଚିରକାଳ ମୋ ଭିତରେ ହିଁ ରହିଥିବେ । ମୋର ଆଉ କିଛି ଲୋଡ଼ା ନାହିଁ ଏହି ଜୀବନରେ ।“
ଖୁବ୍ ଯତ୍ନକରି ତୋଶିକୋଙ୍କୁ ବଙ୍ଗଳା ଶିଖାଇଥିଲେ । ଶିଖାଇଥିଲେ ବଙ୍ଗାଳୀ ନବବଧୂ ପରି ଶାଢ଼ି ପିନ୍ଧିବା । ଆଉ ବଙ୍ଗାଳୀ ରାନ୍ଧଣା ମଧ୍ୟ । ଧରା ପଡ଼ିଯିବା ଭୟରେ ୮ବର୍ଷର ବୈବାହିକ ଜୀବନରେ ରାସବିହାରୀ ଓ ତୋଶିକୋଙ୍କୁ ସତରଥର ଘର ବଦଳାଇବାକୁ ପଡ଼ିଥିଲା । ତା’ ସହ ତୀବ୍ର ଅର୍ଥ ସଙ୍କଟ। କିନ୍ତୁ ଏସବୁ କିଛି ହେଲେ ସେମାନଙ୍କ ଦାମ୍ପତ୍ୟ ଜୀବନକୁ ସୁଖମୟ ତଥା ମଧୁମୟ କରିବାରୁ ବଞ୍ଚିତ କରିପାରି ନ ଥିଲା । ରାସବିହାରୀଙ୍କ ଜୀବନର ଯାବତୀୟ ଝଡ଼ଝଞ୍ଜାରେ ତୋଶିକୋ ହିଁ ଥିଲେ ରକ୍ଷାକବଚ । ସେ ସଂସାରକୁ ଧରି ରଖିଥିଲେ ବୋଲି ତ ଭାରତର ସ୍ବାଧୀନତା ଆନ୍ଦୋଳନରେ ନିଜକୁ ସମର୍ପିଦେଇ ପାରିଥିଲେ ରାସବିହାରୀ । ରାସବିହାରୀ ଲେଖିଛନ୍ତି –” Our married life was very short but it was bliss . I had a feeling that I enjoyed total happiness during those few years .”
ଜୁଲାଇ ୨ ତାରିଖରେ ଜାପାନର ନାଗରିତ୍ୱ ହାସଲ କରନ୍ତି ରାସବିହାରୀ । ସୁନ୍ଦର ଗୋଟିଏ ଘରେ ସ୍ବାଧୀନ ଜୀବନ ଆରମ୍ଭ ହୁଏ । ତୋଶିକୋ ସଂସାର ସଜାଡ଼ିବାରେ ଲାଗି ପଡ଼ନ୍ତି । କିନ୍ତୁ ସେହି ସୁଖ ସ୍ଥାୟୀ ହୋଇପାରେ ନାହିଁ ।
ସେପ୍ଟେମ୍ବର ମାସ ଭୂମିକମ୍ପରେ ଘର ଭାଙ୍ଗି ଧ୍ବସ୍ତବିଧ୍ବସ୍ତ ହୋଇଯାଏ। ତୀବ୍ର ଅର୍ଥାଭାବ ରାସବିହାରୀଙ୍କୁ ଗ୍ରାସକରେ । ବିଶ୍ବକବି ରବୀନ୍ଦ୍ରନାଥ ଟାଗୋର ସେତେବେଳେ କିଛି ଟଙ୍କା ପଠାନ୍ତି । ୧୯୨୪ ମସିହାରେ ଜାପାନ ଭ୍ରମଣ କାଳରେ ଟୋକିଓରେ ଥିବା ରାସବିହାରୀ -ତୋଶିକୋଙ୍କ ଘରକୁ ମଧ୍ୟ ଯାଇଥିଲେ ରବୀନ୍ଦ୍ରନାଥ । ସେତେବେଳକୁ ତୋଶିକୋ ମୁମୂର୍ଷୁ ପ୍ରାୟ । ଆଠବର୍ଷର ମାନସିକ ଚାପ, ରାସବିହାରୀଙ୍କୁ ନେଇ ଅହରହ ଭୟ ଓ ଆଶଙ୍କା , ଶାରୀରିକ ପରିଶ୍ରମ ତାଙ୍କର ସ୍ବାସ୍ଥ୍ୟଭଙ୍ଗର କାରଣ ହୋଇ ପଡ଼ିଥିଲା । ଯକ୍ଷ୍ମା ଓ ନିମୋନିଆରେ ଆକ୍ରାନ୍ତହୋଇ ପଡ଼ନ୍ତି ତୋଶିକୋ ।
କିଛିଦିନ ତୋଶିକୋଙ୍କ ବିଛଣା ପାଖରୁ ଆଦୌ ଉଠିନାହାନ୍ତି ରାସବିହାରୀ । ତାଙ୍କ ହାତ ଭିତରେ ଧରି ରଖୁଥିଲେ ତୋଶିକୋଙ୍କ ହାତ । ଧୀର ସ୍ବରରେ ସଂସ୍କୃତ ମନ୍ତ୍ର ଉଚ୍ଚାରଣ କରୁଥିଲେ ରାସବିହାରୀ ଏବଂ କ୍ଷୀଣ କଣ୍ଠରେ ରାସବିହାରୀଙ୍କ ସ୍ବର ସହ ସ୍ବର ମିଳାଇବାକୁ ଚେଷ୍ଟା କରୁଥିଲେ ତୋଶିକୋ । ଶେଷ କେଇଦିନ ସେହି ଘରକୁ ତୋଶିକୋଙ୍କ ପିତାମାତା ମଧ୍ୟ ପ୍ରବେଶ କରୁ ନ ଥିଲେ, ଝିଅ ଓ ଜ୍ବାଇଁଙ୍କର ଅନାବିଳ ପ୍ରେମର ପ୍ରତିଟି ମୁହୂର୍ତ୍ତ ସେମାନଙ୍କୁ ଏକସଙ୍ଗେ ରହିବାର ସୁଯୋଗ ଦେବାପାଇଁ । ମାତ୍ର ୨୮ ବର୍ଷ ବୟସରେ ଚିରନିଦ୍ରାରେ ଶୋଇପଡ଼ିଥିଲେ ତୋଶିକୋ ବସୁ । ପ୍ରିୟତମା ସ୍ତ୍ରୀଙ୍କ ମୃତ୍ୟୁର ବହୁ ବର୍ଷ ପରେ ରାସବିହାରୀଙ୍କ ମୃତ୍ୟୁ ହୋଇଥିଲା। ଟୋକିଓର ତାମା ଶ୍ମଶାନରେ ତୋଶିକୋଙ୍କ ସମାଧି ପାଖରେ ତିଆରି ହୋଇଥିଲା ରାସବିହାରୀଙ୍କ ସମାଧି ।
ସ୍ବାଧୀନତା ସଂଗ୍ରାମୀ ରାସବିହାରୀ ଏବଂ ତାଙ୍କର ପ୍ରେରଣାଦାୟିନୀ ତୋଶିକୋଙ୍କର ଅନାବିଳ ପ୍ରେମକୁ ସଲାମ । -ପ୍ରଦୀପ କୁମାର ରାୟ
ମୋ:୯୪୩୭୫୩୪୭୭୩