ରାସେଶ୍ୱରୀଙ୍କ ହସ, ଖୁସି ନା କଟାକ୍ଷ

ସମ୍ବଲପୁର,୬।୬ (ଭବାନୀ ଶଙ୍କର ଭୋଇ)ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ହସ ଭରା ଚେହେରା ଏବେ ସମ୍ବଲପୁରରେ ଚର୍ଚ୍ଚାର ବିଷୟ ପାଲଟିଛି। ଭାଜପା ପ୍ରାର୍ଥୀ ଜୟନାରାୟଣ ମିଶ୍ର ବିଧାୟକଭାବେ ବିଜୟୀ ହେବା ପରେ ମଙ୍ଗଳବାର ନିଜ ପରିବାର ଏବଂ ସମର୍ଥକଙ୍କ ସହ ଡା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଭେଟିବାକୁ ତାଙ୍କ ଶାନ୍ତିନଗରସ୍ଥିତ ବାସଭବନକୁ ଯାଇଥିଲେ। ଏହି ସମୟରେ ଜୟନାରାୟଣଙ୍କୁ ଆଶୀର୍ବାଦ କରିବା ସମୟରେ ରାସେଶ୍ୱରୀଙ୍କ ଖୋଲାହସକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଲୋକେ କହୁଛନ୍ତି ରାସେଶ୍ୱରୀଙ୍କ ହସ ଜୟନାରାୟଣ ଜିତିବାର ଖୁସିର ହସ ନା ତାଙ୍କ ବିରୋଧୀଙ୍କ ପାଇଁ କଟାକ୍ଷ। ଅଥବା ବିଜେଡି ତାଙ୍କ ପ୍ରତି କରିଥିବା ଅପମାନର ପ୍ରତିଶୋଧର ହସ।
୨୦୧୪ ସାଧାରଣ ନିର୍ବାଚନରେ ବିଜେଡିରୁ ବିଧାୟକଭାବେ ନିର୍ବାଚିତ ହେବା ପରେ ସମ୍ବଲପୁରର ବିକାଶ ପାଇଁ ଅନେକ କାର୍ଯ୍ୟ କରିଥିଲେ ରାସେଶ୍ୱରୀ। ୨୦୧୯ରେ ସେ ଜୟନାରାୟଣଙ୍କଠାରୁ ହାରିବା ସତ୍ତ୍ବେ ପାଞ୍ଚବର୍ଷ ଧରି ସକ୍ରିୟ ରହି ଲୋକଙ୍କ ସହ ଜଡିତ ରହିଥିଲେ। ୨୦୨୪ ନିର୍ବାଚନରେ ବିଜେଡି ତାଙ୍କୁ ଟିକେଟ ଦେବ ବୋଲି ତାଙ୍କ ସମର୍ଥକମାନେ ଆଶା ବାନ୍ଧିଥିଲେ। ହେଲେ ଦଳ ତାଙ୍କୁ ଟିକେଟ ଦେଇ ନ ଥିଲା। ଏପରିକି ଯାହାକୁ ପ୍ରାର୍ଥୀ କଲେ ସେ ସମ୍ପର୍କରେ ବିଜେଡି ତାଙ୍କ ସହମତି ନେବା ବି ଉଚିତ ମଣି ନ ଥିଲା। ତାହାକୁ ନେଇ ରାସେଶ୍ୱରୀଙ୍କ ସମର୍ଥନଙ୍କ ଭିତରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା। ଏପରିକି ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ବି ରାସେଶ୍ୱରୀଙ୍କୁ ଅଣଦେଖା କରିବା ପରେ ସେ ଏହାର ଜବାବ ଦେବାକୁ ପଣ କରିଥିଲେ। ପ୍ରଥମେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପରେ ଜୟନାରାୟଣଙ୍କୁ ବିଜୟୀ ହେବା ପାଇଁ ଆଶୀର୍ବାଦ ଦେଇଥିଲେ। ତାଙ୍କ ସମର୍ଥକମାନେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଧର୍ମେନ୍ଦ୍ରଙ୍କ ସହ ଜୟନାରାୟଣଙ୍କୁ ଜିତାଇବାକୁ ଉଦ୍ୟମ କରିଥିଲେ। ଜୟନାରାୟଣ ଅସୁସ୍ଥତା ଯୋଗୁଁ ଦୀର୍ଘ ସମୟ ସମ୍ବଲପୁର ବାହାରେ ରହିଥିବାରୁୂ ଲୋକଙ୍କ ଭିତରେ ତାଙ୍କ ପ୍ରତି ଅସନ୍ତୋଷ ରହିଥିଲା। ମାତ୍ର ରାସେଶ୍ୱରୀଙ୍କ ସମର୍ଥନ ପରେ ସ୍ଥିତି ବଦଳିବା ଆରମ୍ଭ କଲା ବୋଲି କୁହାଯାଉଛି। ସମ୍ବଲପୁରରେ ରାସେଶ୍ୱରୀଙ୍କ ଏହି ହସ ପ୍ରସଙ୍ଗ ଚାରିଆଡେ ଚର୍ଚ୍ଚା ହେଉଛି।

Share