ଓ୍ବାଶିଂଟନ୍, ୧ା୮: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଭାରତୀୟ ବଂଶୋଦ୍ଭବ ରଶଦ୍ ହୁସେନଙ୍କୁ ଅନ୍ତର୍ଜାତୀୟ ଧାର୍ମିକ ସ୍ବାଧୀନତା ପାଇଁ ଆମ୍ବାସଡର-ଆଟ୍-ଲାର୍ଜ ମନୋନୀତ କରିଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ ହେବାରେ ରଶଦ ପ୍ରଥମ ମୁସଲମାନ ବୋଲି ହ୍ବାଇଟ୍ ହାଉସ ପକ୍ଷରୁ କୁହାଯାଇଛି। ୪୧ ବର୍ଷୀୟ ରଶଦ୍ ଏବେ ଜାତୀୟ ସୁରକ୍ଷା ପରିଷଦରେ ପାର୍ଟନରଶିପ୍ ଏବଂ ଗ୍ଲୋବାଲ ଏନ୍ଗେଜମେଣ୍ଟର ନିର୍ଦ୍ଦେଶକ ଅଛନ୍ତି। ସମସ୍ତ ଧର୍ମର ଲୋକଙ୍କୁ ପ୍ରତିଫଳିତ କରିବା ଭଳି ଏକ ପ୍ରଶାସନ ଗଠନ ଦିଗରେ ଏହା ଆଉ ଏକ ବଡ଼ ପଦକ୍ଷେପ ବୋଲି ଶୁକ୍ରବାର ହ୍ବାଇଟ୍ ହାଉସ ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ପୂର୍ବରୁ ସେ ନ୍ୟାୟ ବିଭାଗର ଜାତୀୟ ସୁରକ୍ଷା ଡିଭିଜନରେ ବରିଷ୍ଠ ପରାମର୍ଶଦାତା ରହିଥିଲେ। ଓବାମାଙ୍କ କାର୍ଯ୍ୟକାଳ ସମୟରେ ସେ ଅର୍ଗାନାଇଜେଶନ୍ ଅଫ୍ ଇସଲାମିକ୍ କୋଅପରେଶନ (ଓଆଇସି) ପାଇଁ ଆମେରିକାର ସ୍ବତନ୍ତ୍ର ରାଷ୍ଟ୍ରଦୂତ ନିଯୁକ୍ତ ହୋଇଥିଲେ। ବିହାର ସହ ତାଙ୍କର ସମ୍ପର୍କ ରହିଛି। ମାଇନିଂ ଇଞ୍ଜିନିୟର ଥିବା ତାଙ୍କ ପିତା ୧୯୬୦ରେ ୟୋମିଙ୍ଗକୁ ଯାଇଥିଲେ। କିଛି ବର୍ଷ ପରେ ସେ ଭାରତକୁ ଆସି ରଶଦ୍ଙ୍କ ମା’ଙ୍କୁ ବିବାହ କରିଥିଲେ।