Categories: ଜାତୀୟ

ସୋନିଆ-ସ୍ମୃତିଙ୍କ ମଧ୍ୟରେ କଥା କଟାକଟି

ନୂଆଦିଲ୍ଲୀ,୨୮।୭: ଦେଶର ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସଂପର୍କରେ ଆପତ୍ତିଜନକ ଟିପ୍ପଣୀ ଦେଇ ଫସି ଯାଇଛନ୍ତି କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ। ଦେଶର ରାଷ୍ଟ୍ରପତିଙ୍କୁ ‘ରାଷ୍ଟ୍ରପତ୍ନୀ’ ସମ୍ବୋଧିତ କରିଛନ୍ତି। ଏହି ପ୍ରସଙ୍ଗରେ ସଂସଦର ଉଭୟ ସଦନରେ ଶାସକ ଦଳ ପକ୍ଷରୁ ହଙ୍ଗାମା ଓ ନାରାବାଜି କରାଯାଇଥିଲା। ଫଳରେ ଲୋକ ସଭାକୁ ସ୍ଥଗିତ ରଖାଯାଇଥିଲା। ଗୃହ ସ୍ଥଗିତ ରହିବା ପରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଏବଂ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ମଧ୍ୟରେ ବିତର୍କ ହୋଇଥିଲା।
ଲୋକ ସଭା ପ୍ରକ୍ରିୟା ସ୍ଥଗିତ ରହିବା ପରେ ଭାଜପା ଏମ୍‌ପି ମାନେ ‘ସୋନିଆ ଗାନ୍ଧୀ କ୍ଷମା ପ୍ରାର୍ଥନା ମାଙ୍ଗୋ’ ସ୍ଲୋଗାନ ଦେଇଥିଲେ। ସୋନିଆ ଗୃହ ବାହାରକୁ ଯାଉଥିଲେ। କିନ୍ତୁ ଏହି ସ୍ଲୋଗାନ ମଧ୍ୟରେ ସେ ଫେରି ଭାଜପା ଏମ୍‌ପି ରମା ଦେବୀଙ୍କ ନିକଟକୁ ଯାଇ କହିଥିଲେ, ଅଧୀର ରଞ୍ଜନ କ୍ଷମା ମାଗିଛନ୍ତି। ଏହି ସମୟରେ ରମା ଦେବୀଙ୍କ ନିକଟରେ ଠିଆ ହୋଇଥିବା ସ୍ମୃତି ଇରାନୀ ସୋନିଆ ଗାନ୍ଧୀଙ୍କୁ କିଛି କହିଥିଲେ। ସୋନିଆ ରାଗିଯାଇ ଜୋରରେ କହିଥିଲେ, ମୋ ସହିତ କଥା ହୁଅ ନାହିଁ। ଏହା ପରେ ସ୍ମୃତି ଏବଂ ସୋନିଆ ଗାନ୍ଧୀଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଥିଲା। ଏହି ବିତର୍କ ୨ ରୁ ୩ ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଗୌରବ ଗୋଗୋଇ, ସୁପ୍ରିୟା ସୁଲେ ଆସି ସୋନିଆଙ୍କୁ ସେଠାରୁ ନେଇ ପଳାଇଥିଲେ।
ସୂଚନାଯୋଗ୍ୟ, ବୁଧବାର ଘରୋଇ ଚ୍ୟାନେଲର ଏକ କାର୍ଯ୍ୟକ୍ରମରେ ଅଧୀର ରଂଜନ ରାଷ୍ଟ୍ରପତି ମୁର୍ମୁଙ୍କୁ ‘ରାଷ୍ଟ୍ରପତ୍ନୀ’ ଭାବରେ ସମ୍ବୋଧିତ କରିଥିଲେ। ଏହା ପରେ ଭାଜପା ତାଙ୍କୁ ଘେରିଛି।

Share