ପାଣ୍ଡରା ଛକକୁ ଯିବ ରସୁଲଗଡ଼ ଫାଣ୍ଡି

ଭୁବନେଶ୍ୱର,୩୦ା୫(ବ୍ୟୁରୋ): ମଞ୍ଚେଶ୍ୱର ଥାନା ଅଧୀନରେ କାର୍ଯ୍ୟ କରୁଥିବା ରସୁଲଗଡ଼ ଫାଣ୍ଡି ପାଣ୍ଡରା ଛକକୁ ସ୍ଥାନାନ୍ତର ହେବ। ଏଥିପାଇଁ ପାଣ୍ଡରା ଛକରେ ୨ ମହଲା ବିଶିଷ୍ଟ କୋଠାର ନିର୍ମାଣ ସରିଛି। ଜୁନ୍‌ ମାସରେ ଉକ୍ତ କୋଠା ଉଦ୍‌ଘାଟନ ହେବା ସହ ସେହିଠାରେ ହିଁ ଫାଣ୍ଡି କାର୍ଯ୍ୟ କରିବ। ବର୍ତ୍ତମାନ ରସୁଲଗଡ଼ ଛକସ୍ଥିତ ଏକ ଆଜ୍‌ବେଷ୍ଟସ ଘରେ ଫାଣ୍ଡି ଚାଲିଛି।

ଥାନାଞ୍ଚଳରେ ଜନବସତି ବଢ଼ୁଥିବାରୁ ଭୌଗୋଳିକ ଦୃଷ୍ଟିକୋଣରୁ ଆଇନଶୃଙ୍ଖଳା ରକ୍ଷା କ୍ଷେତ୍ରରେ ଫାଣ୍ଡିର କ୍ଷମତାକୁ ଆହୁରି ବଢ଼ାଇବାକୁ ଏପରି ପଦକ୍ଷେପ ନିଆଯାଇଛି। ସ୍ଥାନାନ୍ତର ପରେ ଫାଣ୍ଡି ଅଧୀନରେ ରସୁଲଗଡ଼ ଗାଁ ସମେତ ଜଗନ୍ନାଥ ନଗର, ବାଲିଆପଟା ବସ୍ତି, ପାଣ୍ଡରା, ହାଇଟେକ କଲେଜ ଅଞ୍ଚଳ, ଅରବିନ୍ଦ ନଗର, ଜିଜିପି କଲୋନୀ ଆଦି ଅଞ୍ଚଳ ରହିବ। ପୂର୍ବପରି ଏଠାରେ ଜଣେ ସବ୍‌ଇନ୍ସପେକ୍ଟରଙ୍କ ସମେତ କନଷ୍ଟେବଳ କାର୍ଯ୍ୟ କରିବେ। ପରବର୍ତ୍ତୀ ସମୟରେ ଏହି ଫାଣ୍ଡିଟି ଥାନାଭାବେ କାର୍ଯ୍ୟ କରିପାରେ ବୋଲି ସୂଚନା ମିଳିଛି।

ଏ ସମ୍ପର୍କରେ ଡିସିପି ଉମାଶଙ୍କର ଦାଶ କହିଛନ୍ତି, ପାଣ୍ଡରା ଛକରେ ରସୁଲଗଡ ଫାଣ୍ଡିର ନୂତନ କୋଠା ନିର୍ମାଣ ୨ବର୍ଷ ହେଲା ଚାଲିଥିଲା। ନିର୍ମାଣ ସରିଥିବାରୁ ଖୁବଶୀଘ୍ର ଉଦ୍‌ଘାଟନ ହେବ। ମଞ୍ଚେଶ୍ୱର ଥାନା ଅଧୀନରେ ରହି ସରକାରୀ ନିୟମ ଅନୁସାରେ କର୍ମଚାରୀ ରହିବା ସହ ଫାଣ୍ଡି କାର୍ଯ୍ୟ କରିବ।

Share