Categories: ଜାତୀୟ

ଚାପରେ ଭୁଲ୍‌ ତଥ୍ୟ ଦେଉଛନ୍ତି ଜେଲ କର୍ତ୍ତୃପକ୍ଷ: କେଜ୍‌ରିଓ୍ବାଲଙ୍କ

ନୂଆଦିଲ୍ଲୀ,୨୩ା୪:ତିହାର ଜେଲ କର୍ତ୍ତୃପକ୍ଷ ଇନ୍‌ସୁଲିନ୍‌ ଯୋଗାଣକୁ ସ୍ଥଗିତ ରଖିଥିବା ଡାଇବେଟିସ୍‌ ଆକ୍ରାନ୍ତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଅଭିଯୋଗ କରିଛନ୍ତି। ସେମାନେ ଶାସକ ଭାଜପାର ଚାପରେ ପଡ଼ି ମିଥ୍ୟା ବୟାନ ଦେଉଥିବା କେଜ୍‌ରିଓ୍ବାଲ କହିଛନ୍ତି। ଦିଲ୍ଲୀ ଅବକାରୀ ଦୁର୍ନୀତି ସହ ଜଡ଼ିତ ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମାର୍ଚ୍ଚ ୨୧ରେ କେଜ୍‌ରିଓ୍ବାଲଙ୍କୁ ଗିରଫ କରିଥିଲା। ଏପ୍ରିଲ ୧ରୁ ସେ ତିହାର ଜେଲରେ ଅଛନ୍ତି। ସୋମବାର ସେ ଜେଲ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ପତ୍ର ଲେଖି ଜଣାଇଛନ୍ତି ଯେ, ପ୍ରତିଦିନ ଇନ୍‌ସୁଲିନ୍‌ ଯୋଗାଇବା ପାଇଁ ସେ କହିଥିଲେ। ତାଙ୍କର ଡାଇବେଟିସ୍‌ ସ୍ଥିତିକୁ ନେଇ ବ୍ୟସ୍ତ ହେବାର କୌଣସି କାରଣ ନାହଁ ବୋଲି ଏମ୍ସ ଡାକ୍ତର କଦାପି କହିନାହାନ୍ତି। ସୂଚନାଯୋଗ୍ୟ, ଦିନକ ପୂର୍ବରୁ ଜେଲ୍‌ କର୍ତ୍ତୃପକ୍ଷ ଏକ ବିବୃତି ଜାରି କରି କହିଥିଲେ, ଏମ୍ସର ବରିଷ୍ଠ ବିଶେଷଜ୍ଞମାନଙ୍କ ସହ ସେମାନେ ଭିଡିଓ କନ୍‌ଫରେନ୍ସର ଆୟୋଜନ କରିଥିଲେ।
ଏହି ସମୟରେ କେଜ୍‌ରିଓ୍ବାଲଙ୍କ ଇନ୍‌ସୁଲିନ୍‌ ପ୍ରସଙ୍ଗ ଉଠାଇ ନ ଥିଲେ କିମ୍ବା ଡାକ୍ତରମାନେ ମଧ୍ୟ ଏଥିପାଇଁ ପ୍ରସ୍ତାବ ଦେଇ ନ ଥିଲେ ବୋଲି ଜେଲ କର୍ତ୍ତୃପକ୍ଷ କହିଥିଲେ। ତେବେ ତିହାର ଜେଲ ପ୍ରଶାସନ ରାଜନୈତିକ ଚାପରେ ପଡ଼ି ଭୁଲ୍‌ ଏବଂ ବିଭ୍ରାନ୍ତିକର ବୟାନ ଦେଉଥିବା କେଜ୍‌ରିଓ୍ବାଲ କହିଛନ୍ତି। କେଜ୍‌ରିଓ୍ବାଲଙ୍କ ଏହି ଚିଠିକୁ ଦିଲ୍ଲୀ ମନ୍ତ୍ରୀ ଆତିଶୀ ସୋସିଆଲ ମିଡିଆ ଏକ୍ସ’ରେ ଶେୟାର କରିଛନ୍ତି।
ସୂଚନାଯୋଗ୍ୟ, କେଜ୍‌ରିଓ୍ବାଲଙ୍କୁ ଧୀରେ ଧୀରେ ମୃତ୍ୟୁମୁଖକୁ ଠେଲିଦିଆଯାଉଥିବା ଆପ୍‌ ନେତା ସୌରଭ ଭରଦ୍ୱାଜ ଶନିବାର ଅଭିଯୋଗ କରିଥିଲେ। କେଜ୍‌ରିଓ୍ବାଲଙ୍କ ସ୍ତ୍ରୀ ସୁନୀତା ମଧ୍ୟ ରବିବାର ଅନୁରୂପ ଅଭିଯୋଗ ଆଣିଥିଲେ। ଟାଇପ୍‌-୨ ଡାଇବେଟିସ୍‌ରେ ପୀଡ଼ିତ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଇନ୍‌ସୁଲିନ୍‌ ଦିଆଯାଉ ନାହିଁ କି ଡାକ୍ତରଙ୍କ ସହ ପରାମର୍ଶ କରିବାକୁ ଅନୁମତି ମିଳୁନାହିଁ ବୋଲି ଦଳ କହିଥିଲା।

Share