ଅତୀତର ସ୍ମୃତି ସମସ୍ତଙ୍କୁ ନିଜ ଆଡ଼କୁ ଆକର୍ଷିତ କରିଥାଏ। ପ୍ରସିଦ୍ଧ ଶିଳ୍ପପତି ତଥା ଟାଟା ଗ୍ରୁପ୍ର ପୂର୍ବତନ ଚେୟାରମ୍ୟାନ୍ ରତନ ଟାଟା ମଧ୍ୟ ଏହିପରି ଏକ ମନୋରମ ସ୍ମୃତି ଲୋକଙ୍କ ସହ ଶେୟାର କରିଛନ୍ତି। ଟାଟା ଇଣ୍ଡିକା ଲଞ୍ଚ ହେବାର ଦିନକୁ ମନେ ପକାଇ ସେ ତାଙ୍କ ଇନ୍ଷ୍ଟାଗ୍ରାମରେ ଏକ ଥ୍ରୋ-ବ୍ୟାକ୍ ଫଟୋ ଶେୟାର କରି ଲେଖିଛନ୍ତି, ୨୫ ବର୍ଷ ତଳେ ଆଜି ଟାଟା ଇଣ୍ଡିକା ଭାରତରେ ସ୍ବଦେଶୀ ଯାତ୍ରୀ କାର୍ ଶିଳ୍ପକୁ ଜନ୍ମ ଦେଇଥିଲା।
୧୯୯୮ରେ ଟାଟା ଇଣ୍ଡିକା ଲଞ୍ଚ କରାଯାଇଥିଲା। ଡିଜେଲ ଇଞ୍ଜିନ ସହିତ ଏହା ପ୍ରଥମ ଭାରତୀୟ ହ୍ୟାଚ୍ବ୍ୟାକ୍ କାର୍ ଥିଲା। ଏହା ଭାରତୀୟଙ୍କ ହୃଦୟରେ ଏପରି ଏକ ସ୍ଥାନ ସୃଷ୍ଟି କରିଥିଲା, ଯାହା ଆଜି ବି ଲୋକମାନେ ଏହାକୁ ମନେ ରଖିଛନ୍ତି। ଭାରତର ସର୍ବୋତ୍ତମ ବିକ୍ରି ହେଉଥିବା କାର୍ ମଧ୍ୟରେ ଟାଟା ଇଣ୍ଡିକା ନାଁ ରହିଛି।
ରତନ ଟାଟା ଶେୟାର କରିଥିବା ଫଟୋରେ ସେ ଇଣ୍ଡିକା ପାଖରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି। ସେ ଲେଖିଛନ୍ତି, ୨୫ ବର୍ଷ ପୂର୍ବେ ଟାଟା ଇଣ୍ଡିକାର ଉନ୍ମୋଚନ। ଯାହା ଭାରତର ସ୍ବଦେଶୀ ଯାତ୍ରୀ କାର୍ ଶିଳ୍ପର ଜନ୍ମ। ଏହି ଖୁସିର ସ୍ମୃତି ମା’ ହୃଦୟରେ ଏକ ବିଶେଷ ସ୍ଥାନ ସୃଷ୍ଟି କରିଛି। ଏହି ପୋଷ୍ଟକୁ ୩ ମିଲିୟନ ଲୋକ ପସନ୍ଦ କରିଥିବା ବେଳେ ଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି।