ଭାରତର ଉଦ୍ୟୋଗୀ ମନୋଭାବର ଏକ ଉଜ୍ଜ୍ୱଳ ଆଲୋକ ଥିଲେ ରତନ ଟାଟା, ନବୀନ କହିଲେ ସମଗ୍ର ବିଶ୍ୱରେ…

ଭୁବନେଶ୍ୱର,୧୦ା୧୦: ବିଶିଷ୍ଟ ଶିଳ୍ପପତି ତଥା ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ରତନ ଟାଟାଙ୍କ ବୁଧବାର ବିଳମ୍ବିତ ରାତିରେ ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା। ଏନେଇ ଶୋକ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

ନବୀନ ସୋସିଆଲ ମିଡିଆ ‘ଏକ୍ସ’ରେ କହିଛନ୍ତି, ଦୂରଦୃଷ୍ଟିସମ୍ପନ୍ନ ଶିଳ୍ପପତି, ଚାଣକ୍ୟ ରତନ ଟାଟାଙ୍କ ଦେହାନ୍ତ ବିଷୟରେ ଜାଣି ଗଭୀର ଦୁଃଖିତ। ସେ ଭାରତର ଉଦ୍ୟୋଗୀ ମନୋଭାବର ଏକ ଉଜ୍ଜ୍ୱଳ ଆଲୋକ ଥିଲେ। ସେ ସମଗ୍ର ବିଶ୍ୱରେ ବ୍ୟବସାୟିକ ଦୃଶ୍ୟପଟରେ ଏକ ଅବିସ୍ମରଣୀୟ ଉତ୍ତରାଧିକାରୀ ଛାଡ଼ିଛନ୍ତି ଯାହା ଭବିଷ୍ୟତ ପିଢ଼ିକୁ ପ୍ରେରଣା ଦେବ। ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ମୁଁ ଗଭୀର ସମବେଦନା ଜଣାଉଛି।

୧୯୩୭ ଡିସେମ୍ବର ୨୮ରେ ବ୍ରିଟିଶ୍‌ ଇଣ୍ଡିଆର ବମ୍ବେ ପ୍ରେସିଡେନ୍ସିରେ ଶିଳ୍ପପତି ନାଭାଲ ହେରମୁସ୍‌ଜୀ ଟାଟାଙ୍କ ଔରସରୁ ରତନ ଟାଟା ଜନ୍ମଗ୍ରହଣ କରିଥିଲେ। ମୁମ୍ବାଇର ଚାମ୍ପିୟନ୍‌ ସ୍କୁଲରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ। ଏହାପରେ ସେ ଶିମ୍‌ଲାସ୍ଥିତ ବିଶପ୍‌ ଜନ୍‌ କୋନ୍ନୋନ ସ୍କୁଲ ଏବଂ ୧୯୫୫ରେ ନ୍ୟୁୟର୍କସ୍ଥିତ ରିଭରଡେଲ୍‌ କଣ୍ଟ୍ରି ସ୍କୁଲରେ ଅଧ୍ୟୟନ କରିଥିଲେ। ରତନ ୧୯୯୦ରୁ ୨୦୧୨ ଓ ୨୦୧୬ରୁ ୨୦୧୭ ପର୍ଯ୍ୟନ୍ତ ୨ ଥର ଟାଟା ଗ୍ରୁପ୍‌ର ଅଧ୍ୟକ୍ଷ ଦାୟିତ୍ୱ ସମ୍ଭାଳିଥିଲେ। ରତନ ଟାଟା ଆଜୀବନ ଅବିବାହିତ ଥିଲେ। ୨୦୧୧ରେ ସେ କହିଥିଲେ, ତାଙ୍କୁ ୪ ଥର ବିବାହ ସୁଯୋଗ ମିଳିଥିଲା। କିନ୍ତୁ ପ୍ରତ୍ୟେକ ଥର ସେ କୌଣସି ନା କୌଣସି କାରଣରୁ ଭୟଭୀତ ହୋଇ ବିବାହକୁ ଏଡ଼ାଇ ଦେଇଥିଲେ। ରତନ ଜଣେ ସରଳ, ଅମାୟିକ ଓ ପରୋପକାରୀ ବ୍ୟକ୍ତି ଥିଲେ। ସେ ବ୍ୟବସାୟିକ ପରିଚାଳନା ସହ ଅନେକ ଦାତବ୍ୟ ଅନୁଷ୍ଠାନ ଗଢ଼ି ଜନସେବାରେ ନିଜକୁ ସମର୍ପିତ କରିଥିଲେ। ଏଥିପାଇଁ ସେ ବହୁ ପୁରସ୍କାର ଓ ସମ୍ମାନର ଅଧିକାରୀ ହୋଇଥିଲେ। ୨୦୦୦ରେ ରତନଙ୍କୁ ପଦ୍ମଭୂଷଣ ଓ ୨୦୦୮ରେ ଭାରତ ସରକାରଙ୍କ ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମବିଭୂଷଣ ଉପାଧିରେ ଭୂଷିତ କରାଯାଇଥିଲା। ଏହାବାଦ୍‌ ୨୦୦୬ରେ ମହାରାଷ୍ଟ୍ର ଭୂଷଣ ଓ ୨୦୨୧ରେ ଆସାମ ବୈଭବ ପୁରସ୍କାର ପ୍ରଦାନ କରାଯାଇଥିଲା।