ନିର୍ବାଚନ ପରେ ଦରବୃଦ୍ଧି

ପୂର୍ବରୁ ଜିନିଷପତ୍ରର ଆକାଶଛୁଆଁ ମୂଲ୍ୟବୃଦ୍ଧିରେ ସାଧାରଣ ଜନତା ହନ୍ତସନ୍ତ ହୋଇପଡ଼ିଥିଲେ। କିନ୍ତୁ ସାଧାରଣ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ପରେ ତୃତୀୟ ଏନ୍‌ଡିଏ ସରକାର ଆସିବା ପରଠାରୁ ନିତ୍ୟ ପ୍ରୟୋଜନୀୟ ଦ୍ରବ୍ୟ, ବିଶେଷକରି ଖାଦ୍ୟଦ୍ରବ୍ୟର ଦରଦାମ ବଢ଼ିଚାଲିଛି। ଚାଉଳ, ଅଟା, ଡାଲି, ପନିପରିବା, ଏପରିକି ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟର ମୂଲ୍ୟ ମଧ୍ୟ ବଢ଼ିଗଲା। ନିର୍ବାଚନ ସହ ଦରବୃଦ୍ଧିର ସିଧାସଳଖ ଯୋଗାଯୋଗ ନ ଥିଲେ ମଧ୍ୟ ନିର୍ବାଚନର ପ୍ରାକ୍‌କାଳରେ ମୂଲ୍ୟ ବୃଦ୍ଧି ନେଇ ଲୋକଙ୍କ ମନରେ ପ୍ରଶ୍ନ ଥିଲା ଏବଂ ଦେଶବାସୀ ଏଥିରୁ ନିସ୍ତାର ପାଇବାକୁ ଚାହିଁଥିଲେ। ଭାଜପାର ଯାତ୍ରା ପ୍ରତିହତ ହେବାର ବିଭିନ୍ନ କାରଣ ମଧ୍ୟରୁ ଏହା ମଧ୍ୟ ଏକ ବଡ଼ କାରଣ। ଆମ ଦେଶରେ ବର୍ତ୍ତମାନ ଦରବୃଦ୍ଧି ବିଶେଷକରି ଖାଦ୍ୟର ମୂଲ୍ୟ ଅସହଣୀୟ। ଭୁଲିଗଲେ ଚଳିବ ନାହିଁ, ବର୍ଷ ପରେ ବର୍ଷ ଆମ ଦେଶ ବିଶ୍ୱ କ୍ଷୁଧା ସୂଚକାଙ୍କରେ ପଛକୁ ପଛ ଯିବାରେ ଲାଗିଛି ଯାହା ଏବେ ୧୨୬ରେ। ଏ ସମ୍ପର୍କରେ କୌଣସି ଦିନ କେନ୍ଦ୍ର ସରକାରଙ୍କ ଚିନ୍ତା ନାହିଁ। ସବୁ ସମୟରେ ଦେଖାଯାଇଛି ପାଇକାରୀ ମୂଲ୍ୟ ସୂଚକାଙ୍କଠାରୁ ଖୁଚୁରା ମୂଲ୍ୟ ସୂଚକାଙ୍କ ଅନେକ ବେଶି ରହିଥାଏ। ଏଥର ମଧ୍ୟ ତାହା ହିଁ ହୋଇଛି। ଦେଶର ଲୋକଙ୍କ ବ୍ୟବହାରର ଦ୍ରବ୍ୟ କିଣିବାକୁ ପ୍ରୟୋଜନ ଖୁଚୁରା ମୂଲ୍ୟ ସୂଚକ। ଏକ ଥାଳି ଭାତ, ଡାଲି ଓ ପରିବା, ମାଛ ବା ଅଣ୍ଡା କିଣିବା କଠିନ ହୋଇପଡ଼ିଛି ଏବେ ସାଧାରଣ ଲୋକଙ୍କ ପାଇଁ।
ନିର୍ବାଚନ ସହ ସମ୍ପର୍କ ଗୋଟିଏ ସମ୍ଭବ। ତାହାହେଲା ଭୋଟ ପୂର୍ବରୁ ଶାସକ ଦଳଗୁଡ଼ିକର କିଛି ନିଷେଧାଜ୍ଞା ଥିଲା ଏହି ଖାଦ୍ୟଦ୍ରବ୍ୟର ମୂଲ୍ୟ ବୃଦ୍ଧି ଉପରେ। ନିର୍ବାଚନ ଫଳ ବାହାରିବା ପରେ ପ୍ରାୟ ଲଗାମଛଡ଼ା ହୋଇପଡ଼ିଛନ୍ତି ଅସାଧୁ ବ୍ୟବସାୟୀମାନେ, ବିଶେଷକରି ଚାଉଳ, ଅଟା, ଖାଇବା ତେଲ ଇତ୍ୟାଦିର ଏକଚାଟିଆ ବ୍ୟବସାୟ କରୁଥିବା ଆଦାନୀ, ଅମ୍ବାନୀ ପ୍ରମୁଖ କର୍ପୋରେଟ ଗୋଷ୍ଠୀ। ଆଉ ମଧ୍ୟ ଦେଶର ଗଣ ବଣ୍ଟନ ବ୍ୟବସ୍ଥା ଏବଂ କୃଷକଙ୍କଠାରୁ ପଣ୍ୟ ସଂଗ୍ରହ ବ୍ୟବସ୍ଥା ପ୍ରାୟ ଭାଙ୍ଗିପଡ଼ିଛି ଗତ ୧୦ ବର୍ଷରେ। ଦେଶରେ ବେସରକାରୀ ବିନିଯୋଗ ଓ କର୍ମସଂସ୍ଥାନ କମିଛି। ପାରିବାରିକ ଆୟ ଓ ସଞ୍ଚୟ କମିଛି। ଲୋକଙ୍କ ହାତରେ ଟଙ୍କା ନାହିଁ। ସେହି ଅଭାବ ସିଧାସଳଖ ବ୍ୟାଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପକୁ ଟଙ୍କା ପଠାଇ ପୂରଣ କରାଯାଇ ପାରେନାହିଁ। ଖୋଲା ବଜାରରେ ଗହମ ମୂଲ୍ୟ ୭ ପ୍ରତିଶତ ହାରରେ ଓ ଚାଉଳ ମୂଲ୍ୟ ୧୧ ପ୍ରତିଶତ ହାରରେ ବଢ଼ିଛି। ଡାଲି ମୂଲ୍ୟ ୩୦ ପ୍ରତିଶତ ଓ ଖାଇବା ତେଲର ମୂଲ୍ୟ ୨୦ ପ୍ରତିଶତ ବଢ଼ିଛି ଏବଂ ଆହୁରି ବଢ଼ିବ ବୋଲି ଶୁଣାଯାଉଛି। କୃଷିରୁ ସଂଗ୍ରହ କମାଇ ଦେଇଛି ସରକାର। ଏହାଫଳରେ ଖାଦ୍ୟ ନିଗମରେ ଖାଦ୍ୟଦ୍ରବ୍ୟର ସଞ୍ଚୟ କମିଛି। ଫଳରେ ଖାଦ୍ୟଦ୍ରବ୍ୟର ମୂଲ୍ୟ ବଢ଼ିଛି। ଏଣୁ ଏକ ଧାରାବାହିକ ପ୍ରକ୍ରିୟାରେ ଖାଦ୍ୟଦ୍ରବ୍ୟର ମୂଲ୍ୟ ବଢ଼ିବାରେ ଲାଗିଛି। ଏହା ଆମର ଅର୍ଥନୀତିକୁ ତ ମଜଭୁତ କରି ନାହିଁ, ଓଲଟି ଭାଙ୍ଗିଦେଇଛି। ଏହି ନୀତି ସହ ଖାଦ୍ୟଦ୍ରବ୍ୟର ଖୁଚୁରା ବିକ୍ରି ଏବଂ ବଣ୍ଟନ ଧୀରେ ଧୀରେ ଚାଲିଯାଇଛି ମୁଷ୍ଟିମେୟ କର୍ପୋରେଟ ପୁଞ୍ଜିପତି ଅର୍ଥାତ୍‌ ଅମ୍ବାନୀ, ଆଦାନୀ ଓ ଅନ୍ୟ ବଡ଼ ବଡ଼ ପୁଞ୍ଜିପତିମାନଙ୍କ ହାତକୁ ବିଭିନ୍ନ ରିଟେଲ ଚେନ୍‌ ମାଧ୍ୟମରେ। ପ୍ରଚଣ୍ଡ ଗରମ ବା ଏଲ୍‌ ନିନୋ ପ୍ରଭାବରେ ଫସଲ ଅମଳ ଆକ୍ରାନ୍ତ ହୋଇଛି। କିନ୍ତୁ ପ୍ରଚଣ୍ଡ ଗରମ ହେବା ପୂର୍ବରୁ ଆମ ଦେଶରେ ଫସଲ ଅମଳ ବେଶ୍‌ ଭଲ ହୋଇଥିଲା। ଡାଲିର ଉପତ୍ାଦନ ଅନ୍ୟ ବର୍ଷ ତୁଳନାରେ ବେଶି ହୋଇଥିଲା। ସରକାର କୃଷକଙ୍କର ସର୍ବନିମ୍ନ ସହାୟକ ମୂଲ୍ୟରେ ଉପତ୍ାଦିତ ଫସଲ କିଣିନାହାନ୍ତି କୃଷକଙ୍କ ପାଖରୁ। ଖରିଫ ଶସ୍ୟରେ ସର୍ବନିମ୍ନ ସହାୟକ ମୂଲ୍ୟ ଚାଲୁହେବା କେବଳ ଭାଷଣ ମଧ୍ୟରେ ରହିଛି। ପ୍ରତ୍ୟେକ ଶସ୍ୟର ଉପତ୍ାଦନ କ୍ଷେତ୍ରରେ ଚାଷୀ କ୍ଷତି ସହୁଛି। ପ୍ରତି କୁଇଣ୍ଟାଲ ଧାନରେ କ୍ଷତିର ପରିମାଣ ୭୨୧ଟଙ୍କା, ଜୁଆରରେ ୨୦୬୬, ବାଜରାରେ ୨୭୯ ଟଙ୍କା, ସୋୟାବିନ୍‌ରେ ୧୬୧୧ ଟଙ୍କା। ଏହି ତଥ୍ୟ ଦେବାର କାରଣ ଏହା ଯେ, ସରକାର ଚାଷୀଙ୍କୁ ଅଭାବୀ ବିକ୍ରି କରିବାକୁ ବାଧ୍ୟ କରୁଛି। କମ୍‌ ମୂଲ୍ୟରେ ଫସଲ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି କୃଷକମାନେ। ବିକ୍ରି ନ ହେଲେ ପନିପରିବା ରାସ୍ତାରେ ଫୋପାଡ଼ି ଦେବାର ଅନେକ ଉଦାହରଣ ଆମ ରାଜ୍ୟରେ ଏବେ ଅଛି।
ତା’ହେଲେ ଫସଲର ଯୋଗାଣ ସମସ୍ୟା ନାହିଁ, କୃଷକ ମୂଲ୍ୟ ପାଉନାହିଁ। ଗଁା ସହରରେ ଯିଏ ଖାଦ୍ୟଶସ୍ୟ କିଣୁଛି, ଚଢ଼ାଦରରେ କିଣୁଛି। କ୍ରେତା ବିକ୍ରେତା କେହି ମୂଲ୍ୟ ପାଉନାହାନ୍ତି। ଖାଦ୍ୟଦ୍ରବ୍ୟର ମୂଲ୍ୟବୃଦ୍ଧି ସବୁଦିନ ହେଉଛି। ଏହି ବ୍ୟବସ୍ଥା କ’ଣ ସରକାରଙ୍କ ନୀତି ଯୋଗୁ। କୃତ୍ରିମ ଭାବେ ଅଭାବ ହେଉ ନାହିଁ? ଦେଖାଯାଉଛି ଏହି ମୂଲ୍ୟବୃଦ୍ଧି ଗ୍ରାମାଞ୍ଚଳରେ ସହରଠାରୁ ଅଧିକ। ଗ୍ରାମର କୃଷକ ସହରର ଲୋକଙ୍କଠାରୁ ଆହୁରି ବେଶି ମୂଲ୍ୟରେ କିଣୁଛି। ଭୋଗ୍ୟପଣ୍ୟର ମୂଲ୍ୟ ସୂଚକାଙ୍କରେ ଗ୍ରାମ ଓ ସହର ମଧ୍ୟରେ ପାର୍ଥକ୍ୟ ବଢ଼ିଛି। ଏହି ପାର୍ଥକ୍ୟର ପରିମାଣ ୧.୧୦ ପ୍ରତିଶତ ଥିଲା ଗତ ମେ ମାସରେ। ଏହାର ଅର୍ଥ ନୁହେଁ ସହରର ଲୋକେ ମୂଲ୍ୟବୃଦ୍ଧିର ପ୍ରକୋପ ମୁଖରେ ପଡ଼ୁନାହାନ୍ତି। ମୂଲ୍ୟବୃଦ୍ଧିର ପ୍ରକୋପରୁ କାହାରି ବଞ୍ଚତ୍ବାର ପଥ ନାହିଁ। ୫୦୦ ଟଙ୍କାରେ ସପ୍ତାହର ଆରମ୍ଭରେ ଯେଉଁ ଖାଦ୍ୟ କିଣୁଥିଲେ, ପର ସପ୍ତାହରେ ସେହି ପରିମାଣର ଖାଦ୍ୟ ଏହି ଟଙ୍କାରେ କିଣାଯାଇ ପାରୁନାହିଁ।
ପାଇକାରୀ ଏବଂ ଖୁଚୁରା ମୂଲ୍ୟବୃଦ୍ଧି ହାରରେ ତଫାତ୍‌ ରହୁଛି, କିନ୍ତୁ ପାଇକାରୀ ମୂଲ୍ୟବୃଦ୍ଧିର ହାର ଗତ ମେ ମାସରେ ଥିଲା ତାହାର ପୂର୍ବର ୧୦ ମାସରେ ସର୍ବୋଚ୍ଚ। ଖାଦ୍ୟଶସ୍ୟର ପାଇକାରୀ ମୂଲ୍ୟବୃଦ୍ଧିର ହାର ୩୨.୪୨%। ପିଆଜ କ୍ଷେତ୍ରରେ ଏହି ହାର ୫୮%, ଆଳୁ କ୍ଷେତ୍ରରେ ୬୪%। ଖୁଚୁରା ମୂଲ୍ୟବୃଦ୍ଧି ତ ଆହୁରି ବେଶି ହାରରେ ବଢ଼ିଛି। ମହାରାଷ୍ଟ୍ରରେ ଏକ ସମୀକ୍ଷା ଦେଖାଇଛି ଯେ, ଗତ ୫ ବର୍ଷରେ ଏକ ନିରାମିଷ ଭୋଜନ ଥାଳିର ମୂଲ୍ୟ ବଢ଼ିଛି ୭୧ ପ୍ରତିଶତ। ଅଥଚ ଶ୍ରମଜୀବୀ ଲୋକଙ୍କ ମଜୁରି ତ ଏହି ହାରରେ ବଢ଼ିନାହିଁ। କିଭଳି ଅପପୁଷ୍ଟି, ଖାଦ୍ୟାଭାବରୁ ବଞ୍ଚତ୍ତ ଏହି ଦେଶ? ଏହା ପରେ ପରେ ଅମୁଲ, ମଦର ଡାଇରି ଇତ୍ୟାଦି ଦୁଧର ମୂଲ୍ୟ ବଢ଼େଇ ଦେଇଛନ୍ତି ନିର୍ବାଚନ ପରେ। ସମ୍ପ୍ରତି ମୋବାଇଲ ଫୋନ ଦେଶର ଅର୍ଦ୍ଧାଧିକ ଲୋକ ବ୍ୟବହାର କରୁଛନ୍ତି। ମୋବାଇଲ ଫୋନର ରିଚାର୍ଜ ମୂଲ୍ୟ ଜିଓ ଏବଂ ଭାରତୀ ଏୟାରଟେଲ ଯଥାକ୍ରମେ ୨୨% ଓ ୨୦% ବଢ଼ାଇ ଦେଇଛନ୍ତି। ଏହା ମଧ୍ୟ ଖାଉଟିଙ୍କ ଉପରେ ଆଉ ଏକ ମାଡ଼।
ଦେଶରେ ନିତ୍ୟ ପ୍ରୟୋଜନୀୟ ଦ୍ରବ୍ୟର ମୂଲ୍ୟ ବଢ଼ୁଛି କାହିଁକି, ଏହି ପ୍ରଶ୍ନର ଉତ୍ତର ଖୋଜିବାକୁ ଗଲେ ସିଧାସଳଖ ଦେଶର ଆର୍ଥିକ ନୀତିର ଦିଗକୁ ଦେଖିବାକୁ ହେବ। କାହାର ମୁନାଫା ପାଇଁ ସରକାର ଦାୟବଦ୍ଧ। ଘରୋଇ କମ୍ପାନୀର ରିଟେଲ ଚେନ୍‌ର ବ୍ୟବସାୟ ନା ଦେଶର କୃଷକ ଓ ଶ୍ରମିକଙ୍କ ସହ ସାଧାରଣ ଜନତାଙ୍କ ଜୀବନ ଜୀବିକା କେଉଁଟା ସରକାରଙ୍କ ଅଗ୍ରାଧିକାର? ଦେଶରେ ଉପତ୍ାଦନ ହେବା ସତ୍ତ୍ୱେ କାହିଁକି ଦରଦାମ୍‌ର କ୍ରମାଗତ ବଢ଼ିବାକୁ ସହ୍ୟ କରିବେ ଜନତା? ରିଜର୍ଭ ବ୍ୟାଙ୍କ ମତରେ ଦରବୃଦ୍ଧିର ଏକ ସହଣୀୟ ମାତ୍ରା ଅଛି, ତାହା ୪%। କିନ୍ତୁ ଆମ ଦେଶରେ ସବୁ ସମୟରେ ଏହା ୪%ରୁ ଅଧିକ ରହୁଛି। ଏହି ସହଣୀୟ ପରିମାଣର ଅର୍ଥ ଯେ ଖୁବ୍‌ ବେଶି ଦରଦାମ୍‌ ସ୍ତର ଆପାତକାଳୀନ କିଛି ବ୍ୟବସାୟୀଙ୍କୁ ଲାଭ ଦେଇପାରେ, କିନ୍ତୁ କୌଣସି ଅବସ୍ଥାରେ ଏହି ପରିମାଣ ଦୀର୍ଘସ୍ଥାୟୀ ହେଲେ ଦେଶର ଅର୍ଥନୀତି ହାମୁଡ଼େଇ ପଡ଼ିବ। ଦେଶର ଅର୍ଥନୀତି କୌଣସିଦିନ ଦେଶର ଜନତାଙ୍କୁ ବାଦ୍‌ ଦେଇ କତିପୟ ବ୍ୟବସାୟୀଙ୍କୁ ନେଇ ଗଢ଼ି ଉଠିପାରେନା। ଏହାଛଡ଼ା ସରକାରୀ ବଣ୍ଟନ ବ୍ୟବସ୍ଥା (ରେଶନ) ଭାଙ୍ଗି ବେସରକାରୀ ବଣ୍ଟନ, ଖୋଲା ବଜାର ଉପରେ ଦରଦାମ୍‌କୁ ଛାଡ଼ିଦେଲେ ଦେଶର ଜନସାଧାରଣ ବଞ୍ଚତ୍ବେ କିପରି? କିଏ ଆଗାମୀ ଦିନର ଉତ୍ପାଦନ ବ୍ୟବସ୍ଥାକୁ ଗଢ଼ିତୋଳିବ?
ଭାରତର ନୂତନ ସଂସଦ ଓ ସରକାର ଦରଦାମ୍‌ ବୃଦ୍ଧି ପରି ଏକ କ୍ରମାଗତ ଉତ୍କଟ ସମସ୍ୟା ପ୍ରତି ଦୃଷ୍ଟି ଦେବା ବାଞ୍ଛନୀୟ। ଦେଶବାସୀଙ୍କୁ ବଜାରର ନିଆଁରୁ ରକ୍ଷା କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ପାଖରେ ବର୍ତ୍ତମାନ ସବୁଠାରୁ ବଡ଼ ଆହ୍ବାନ।
ମୋ: ୯୪୩୭୩୮୪୮୬୭


Enter your email to get our daily news in your inbox.

All Right Reserved By Dharitri.Com

ଗଡ଼ଜାତ ଗାନ୍ଧୀ ସାରଙ୍ଗଧର

ଙ୍କାନାଳ-ପଶ୍ଚିମ କଟକ ଯୁଗ୍ମ ଲୋକ ସଭା ନିର୍ବାଚନମଣ୍ଡଳୀର ପ୍ରଥମ ସାଂସଦ ତଥା ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ଆଜି ୫୭ତମ ପୁଣ୍ୟତିଥି। ଭାରତବର୍ଷର ପ୍ରଥମ ସାମ୍ବିଧାନିକ...

ସମବାୟରେ ଅର୍ଥନୈତିକ ସମାନତା

କୌଣସି ଦେଶ ସ୍ବାଧୀନ ହେବା ପରେ ଯେଉଁ ଅର୍ଥନୈତିକ ବିକାଶ ଘଟେ ତାହା ଦେଶର ରାଜନୈତିକ ସ୍ଥିତି ଅନୁସାରେ ପରିଗଣିତ ହୁଏ। କିଏ ପୁଞ୍ଜିବାଦ ଚାହେଁ...

ସହାନୁଭୂତି ହ୍ରାସ

୨୦୨୧ରେ ତାଲିବାନ୍‌ ଦ୍ୱିତୀୟ ଥର ଆଫଗାନିସ୍ତାନରେ କ୍ଷମତା ଦଖଲକରିବା ପରେ ମହିଳାଙ୍କ ଅଧିକାର ଛଡ଼ାଇନେବା ସହ ଏବେ ପୋଲିଓ ଟିକାକରଣ କାର୍ଯ୍ୟକ୍ରମ ବନ୍ଦ କରିଦେଇଛି। ଏହି...

ଏଇ ଭାରତରେ

ବାୟୋଫର୍ଟିଫାଏଡ ସିଡ୍‌ସ ବା ମଞ୍ଜି ଅର୍ଥାତ୍‌ ଏହି ମଞ୍ଜିକୁ ବ୍ୟବହାର କରି ଯେଉଁ ଶସ୍ୟ ଉପତ୍ାଦନ କରାଯାଏ ସେଥିରେ ଆଇରନ, ଜିଙ୍କ୍‌, ମାଙ୍ଗାନିଜ, କପର ଆଦି...

ମହାକାଶରେ ମଣିଷ

ଖ୍ରୀଷ୍ଟପୂର୍ବ ୩୯୯ରେ ଗ୍ରୀକ୍‌ ଦାର୍ଶନିକ ସକ୍ରେଟିସ୍‌ କହିଥିଲେ, ”ମଣିଷ ପୃଥିବୀ ଉପରୁ ବାୟୁମଣ୍ଡଳର ଶୀର୍ଷ ଭାଗକୁ କିମ୍ବା ତା’ଠାରୁ ଅଧିକ ଉପରକୁ ଯାଇପାରିଲେ ହିଁ ସେ...

ଲୋକଙ୍କ ସରକାରରେ ରାଜ୍ୟର ‘ସୁଭଦ୍ରା’ ହେବେ ସଶକ୍ତ ଓ ଆତ୍ମନିର୍ଭର

ଓଡ଼ିଶାର ସାମାଜିକ ନ୍ୟାୟ ଇତିହାସରେ ଆଜି ଏକ ଗୌରବମୟ ଦିନ। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଆଜି ରାଜ୍ୟର ମହିଳାମାନଙ୍କ ପାଇଁ ସୁଭଦ୍ରା...

ଗୁଣିର ଶିକାର

ଏକବିଂଶ ଶତାବ୍ଦୀରେ ମଣିଷ ବିଜ୍ଞାନ ପ୍ରଯୁକ୍ତିରେ ଅନେକ ଆଗେଇଯିବା ସତ୍ତ୍ୱେ ଅନ୍ଧବିଶ୍ୱାସ, ଗୁଣିଗାରେଡ଼ି ଓ ଡାହାଣୀ ଭଳି ଧାରଣାକୁ ଛାଡ଼ିପାରୁନାହିଁ। ଏଭଳି ମାନସିକତାର ଗମ୍ଭୀରତା ବିଷୟରେ...

ଏଇ ଭାରତରେ

ମଣିଷ ମରିବା ପରେ ହିଁ ପିଣ୍ଡଦାନ ଶ୍ରାଦ୍ଧ ଆଦି କର୍ମ କରାଯାଏ। କିନ୍ତୁ ବଞ୍ଚିଥିବା ଲୋକଙ୍କର ଶ୍ରାଦ୍ଧ କରିବା କଥା କେବେ ଶୁଣିଛନ୍ତି! କିନ୍ତୁ ଏମିତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri