Categories: ଜାତୀୟ

୧୦୦ ଛୁଇଁଲା ଟମାଟୋ ଦର

ନୂଆଦିଲ୍ଲୀ,୨୩।୧୧: ସାଧାରଣତଃ ଶୀତ ଦିନେ ଟମାଟୋ କିଲୋ ପିଛା ୨୦ ଟଙ୍କାରେ ବିକ୍ରି ହୁଏ। କିନ୍ତୁ ଦକ୍ଷିଣାଞ୍ଚଳରେ ଥିବା ୩ ରାଜ୍ୟ (ଆନ୍ଧ୍ର ପ୍ରଦେଶ, କର୍ନାଟକ ଓ ତାମିଲନାଡୁ)ରେ ପ୍ରବଳ ବର୍ଷା ଏବଂ ବନ୍ୟା କାରଣରୁ ଏହି ପରିବା ଚାଷ ବାଧାପ୍ରାପ୍ତ ହୋଇଛି। ଏଣୁ ପ୍ରାୟତଃ ଦକ୍ଷିଣ ରାଜ୍ୟଗୁଡ଼ିକରେ କିଲୋ ପିଛା ଦର ପହଞ୍ଚିଛି ୧୦୦ ଟଙ୍କାରେ।

ସବୁଠୁ ସଙ୍କଟ ଦେଇ ଗତି କରୁଛି ଚେନ୍ନାଇ। ସେଠାରେ ଏବେ ୧୪୦ ଟଙ୍କାରେ ପହଞ୍ଚିଛି କିଲୋ ପିଛା ଟମାଟୋ ଦର। ମାତ୍ର ମାସକ ତଳେ ୪୦ ଟଙ୍କାରେ ବିକ୍ରି ହେଉଥିଲା। କେବଳ ଟମାଟୋ ନୁହେଁ କ୍ୟାପ୍ସିକମ ଓ ପିଆଜ ଭଳି ପରିବାର ମଧ୍ୟ ଦରରେ ଅହେତୁକ ବୃଦ୍ଧି ପରିଲଖିତ ହୋଇଛି।

ଦେଶରେ ସର୍ବାଧିକ ଟମାଟୋ ଆନ୍ଧ୍ର ପ୍ରଦେଶରେ ଉତ୍ପାଦନ ହୁଏ। ଏବେ ଏହି ପରିବା ରାଜ୍ୟରେ କିଲୋ ପିଛା ୧୦୦ ଟଙ୍କାରେ ବିକ୍ରି ହେଉଛି। ଆଗକୁ ଦର ଆହୁରି ବଢ଼ିପାରେ। ସାଧାରଣତଃ ରାଜ୍ୟରେ ୫୮ ହଜାର ହେକ୍ଟରରେ ଚାଷ କରାଯାଏ, ଯେଉଁଥିରୁ ୨୬.୬୭ ଲକ୍ଷ ମେଟ୍ରିକ ଟନ ଟମାଟୋ ଉତ୍ପାଦନ ହୁଏ। କିନ୍ତୁ ଚଳିତ ବର୍ଷ ଲଗାଣ ବର୍ଷା ଓ ବନ୍ୟା କାରଣରୁ ଟମାଟୋ ଚାଷ ବାଧା ପ୍ରାପ୍ତ ହୋଇଛି। ଏବେ ପ୍ରାୟତଃ ଟାମାଟୋ ମହାରାଷ୍ଟ୍ରର ସୋଲାପୁର ଓ କର୍ନାଟକର ଚିକବୁଲାପୁର ଆସୁଛି।

Share