ଓ୍ବାଶିଂଟନ୍,୨୩ା୩: ଆମେରିକାର ଶିକାଗୋରୁ ସୋମବାର ବାହାରିବାକୁ ଥିବା ରାମମନ୍ଦିର ରଥଯାତ୍ରା ଦେଶର ୪୮ ରାଜ୍ୟ ଭ୍ରମଣ କରିବ। ୬୦ ଦିନ ମଧ୍ୟରେ ଏହା ୮,୦୦୦ରୁ ଅଧିକ ମାଇଲ ଅତିକ୍ରମ କରି ୮୫୧ ମନ୍ଦିର ବୁଲିବ। ସେହିପରି କାନାଡାର ୧୫୦ ମନ୍ଦିର ମଧ୍ୟ ବୁଲିବ ବୋଲି ଆୟୋଜକମାନେ ସୂଚନା ଦେଇଛନ୍ତି।
ବିଶ୍ୱହିନ୍ଦୁ ପରିଷଦ ଆମେରିକା (ଭିଏଚ୍ପିଏ) ସାଧାରଣ ସମ୍ପାଦକ ଅମିତାଭ ମିତ୍ତଲ କହିଛନ୍ତି, ଏକ ଟୋୟୋଟା ଭ୍ୟାନ୍ରେ ନିର୍ମିତ ଏହି ରଥରେ ପ୍ରଭୁ ରାମ, ଦେବୀ ସୀତା, ଲକ୍ଷ୍ମଣ ଓ ହନୁମାନଙ୍କ ମୂର୍ତ୍ତିକୁ ଅବସ୍ଥାପିତ କରାଯାଇଛି। ଅଯୋଧ୍ୟା ରାମମନ୍ଦିରରୁ ନିଆଯାଇଥିବା ସ୍ବତନ୍ତ୍ର ପ୍ରସାଦ ଏବଂ ପ୍ରାଣ ପ୍ରତିଷ୍ଠା ପୂଜିତ ଅକ୍ଷତକୁ ମଧ୍ୟ ଏଥିରେ ରଖାଯିବ। ରାମମନ୍ଦିର ପ୍ରତିଷ୍ଠା ପରେ ବିଶ୍ୱର ୧.୫ ବିଲିୟନ୍ ହିନ୍ଦୁଙ୍କ ମଧ୍ୟରେ ଆସ୍ଥା ଓ ଶକ୍ତିର ପୁନଃ ଅଭ୍ୟୁଦୟ ହୋଇଛି। ଏପ୍ରିଲ ୨୩ ହନୁମାନ ଜୟନ୍ତୀ ଅବସରରେ ଇଲିନୋଇସ୍ସ୍ଥିତ ସୁଗାର ଗ୍ରୋଭ୍ରେ ରଥଯାତ୍ରା ଶେଷ ହେବ। ଏହି ଐତିହାସିକ ଯାତ୍ରାରେ ଭିଏଚ୍ପିଏକୁ ସହଯୋଗ କରିବା ପାଇଁ ବହୁ ସ୍ବେଚ୍ଛାସେବୀ ନିଜ ନାମ ପଞ୍ଜୀକରଣ କରିଥିବା ସେ ସୂଚନା ଦେଇଛନ୍ତି।