ଆମେରିକାର ଟାମ୍ପା ସହରରେ ରଥଯାତ୍ରା…

ଫ୍ଲୋରିଡା ,୨୫।୬ : ସ୍ବଦେଶ ହେଉ ଅବା ପ୍ରବାସ, ଯେଉଁଠି ଓଡ଼ିଆ, ସେଇଠି ଜଗନ୍ନାଥ ଆଉ ରଥଯାତ୍ରା। ଓଡ଼ିଆଙ୍କ ପ୍ରାଣ ଓ ପରିଚୟ ହେଉଛନ୍ତି ପ୍ରଭୁ ଶ୍ରୀକାଳିଆ ସାଆନ୍ତ। ବିଳମ୍ବରେ ହେଲେ ମଧ୍ୟ ନିଜ କର୍ମମୟ ଜୀବନ ଜଞ୍ଜାଳରୁ ସାମୟିକ ବିରତି ନେଇ ସୁଦୂର ଆମେରିକାର ଫ୍ଲୋରିଡା ରାଜ୍ୟର ଟାମ୍ପା ସହରରେ ପ୍ରବାସୀ ଓଡ଼ିଆମାନେ ସ୍ଥାନୀୟ ସନାତନ ମନ୍ଦିରରେ ଶ୍ରୀଜିଉଙ୍କ ରଥଯାତ୍ରା ଉତ୍ସବ ଆନନ୍ଦ ଉଦ୍ଦିପନା ମଧ୍ୟରେ ପାଳନ କରିଛନ୍ତି।

 

ମନ୍ଦିର କର୍ତ୍ତୃପକ୍ଷ ଏବଂ ପ୍ରବାସୀ ଓଡ଼ିଆମାନଙ୍କ ମିଳିତ ସହଯୋଗରେ ବହୁ ଆଡମ୍ବର ସହିତ ରଥଯାତ୍ରା ପାଳିତ ହୋଇଛି। ଏହି ଅବସରରେ ବହୁ ସଂଖ୍ୟକ ଅନ୍ୟାନ୍ୟ ପ୍ରବାସୀ ଭାରତୀୟଙ୍କ ସହିତ ସ୍ଥାନୀୟ ଆମେରିକୀୟ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ।

ଘଣ୍ଟଘଣ୍ଟା, ହରିବୋଲ ଏବଂ ହୁଳହୁଳି ଶବ୍ଦରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ପ୍ରଥମ ଥର ପାଇଁ ଚଳିତ ବର୍ଷ ନୂତନ ରଥ ନିର୍ମାଣ କରାଯାଇଥିଲା। ସ୍କୁଲ ଏବଂ କଲେଜ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଜଗନ୍ନାଥ ସଂସ୍କୃତି ଏବଂ ପରମ୍ପରା ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ରଥଯାତ୍ରା ପରିଚାଳନା କମିଟି ତରଫରୁ ଚିତ୍ରାଙ୍କନ, ପ୍ରବନ୍ଧ ଏବଂ କବିତା ରଚନା ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ରଥଯାତ୍ରା ଅବସରରେ ଓଡ଼ିଶୀ ଏବଂ କୁଚିପୁଡି ନୃତ୍ୟ ମଧ୍ୟ ପରିବେଷିତ ହୋଇଥିଲା। ରଥଯାତ୍ରା ପୂର୍ବରୁ ସନାତନ ମନ୍ଦିର ଏବଂ ରଥଯାତ୍ରା ପରିଚାଳନା କମିଟି ପକ୍ଷରୁ ସ୍ନାନପୂର୍ଣ୍ଣିମା ଏବଂ ନେତ୍ରୋତ୍ସବ। ଛପନ ଭୋଗର ଆୟୋଜନ କରାଯାଇଥିଲା।

Share