ଆମେରିକାରେ ଗଡ଼ିଲା ରଥ

ଓ୍ବାଶିଂଟନ୍‌,୫।୭: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଦେଶ ବିଦେଶରେ ବି ପାଳିତ ହୋଇଛି। ଏହିକ୍ରମରେ ଆମେରିକାର ଫ୍ଲୋରିଡା ରାଜ୍ୟ ମଧ୍ୟ ବାଦ୍‌ ପଡ଼ିନାହିଁ। ଫ୍ଲୋରିଡାର ଟାମ୍ପା ସହରରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ସନାତନ ହିନ୍ଦୁ ମନ୍ଦିରରେ ଜୁଲାଇ ୨ତାରିଖରେ ରଥଯାତ୍ରା ମହାସମାରୋହ ବହୁ ଧୁମ୍‌ଧାମ୍‌ରେ ଆୟୋଜନ କରିଥିଲେ। ଏହି ବର୍ଷ ମନ୍ଦିରର କର୍ତ୍ତୃପକ୍ଷ ଏବଂ ଫ୍ଲୋରିଡାରେ ରହୁଥିବା ପ୍ରବାସୀ ଓଡ଼ିଆମାନଙ୍କ ସହାୟତାରେ ନୂତନ ରଥ ଏବଂ ବିଗ୍ରହମାନଙ୍କ ପ୍ରତିଷ୍ଠା କରାଯାଇଥିଲା। ରଥଯାତ୍ରାରେ ଏକାଧିକ ଭକ୍ତମାନେ ଯୋଗଦେଇଥିଲେ। କାଳିଆଙ୍କ ଭକ୍ତଙ୍କ ପାଇଁ ଛପନ ଭୋଗର ମହାପ୍ରସାଦ ଆୟୋଜନ କରାଯାଇଥିଲା। ରଥଯାତ୍ରା ସମୟରେ ମହିଳା ଭକ୍ତମାନେ କଳସ ଯାତ୍ରାରେ ଭାଗ ନେବା ସହ ଓଡ଼ିଶୀ ନୃତ୍ୟର ମଧ୍ୟ ଆୟୋଜନ ହୋଇଥିଲା। ଭକ୍ତଙ୍କ ଘଣ୍ଟନାଦ, ହରିବୋଲ, ହୁଳହୁଳିରେ ଟାମ୍ପା ସହର ପ୍ରକମ୍ପିତ ହୋଇଉଠିଥିବା ବେଳେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା। ଅନ୍ୟପଟେ ରଥଯାତ୍ରା ପୂର୍ବରୁ ସନାତନ ମନ୍ଦିରରେ ସ୍ନାନଯାତ୍ରା ଓ ନେତ୍ରୋତ୍ସବ ମଧ୍ୟ ଆୟୋଜିତ ହୋଇଥିଲା।

 

 

Share