ତିନିରଥର ସିଙ୍ଗଡ଼ା ବାଡ଼ିଆ ଅନୁକୂଳ

ପୁରୀ ଅଫିସ, ୬ ।୫: ଶ୍ରୀନଅରସ୍ଥିତ ଅସ୍ଥାୟୀ ରଥ ଖଳାରେ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ଶୁକ୍ରବାର ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନିର୍ଦ୍ଦେଶ କ୍ରମେ ଯନ୍ତାଗାଡ଼ରେ ସିଙ୍ଗଡ଼ା ବାଡ଼ିଆ କାମ ଅନୁକୂଳ କରାଯାଇଛି। ମହାପ୍ରସାଦ ସମର୍ପଣ ଓ ତ୍ରିଫଳ ଭାଙ୍ଗି ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ ଅନୁକୂଳ କରାଯାଇଥିଲା। ତିନିରଥର ରୂପକାର ସେବକମାନେ ୧୨ଟି ଗୁଜକାଠରେ ଶ୍ରୀନୃସିଂହ ଦେବଙ୍କ ପ୍ରତିମା ଖୋଦେଇ ଜାରି ରଖିଛନ୍ତି। ରଥ ନିର୍ମାଣର ଦ୍ୱାଦଶ ଦିବସରେ ଅନୁକୂଳ ପୂଜା ପରେ ତିନିରଥର ତିନିଟି ଲେଖାଏ ତୁମ୍ବରେ ଅର ସଂଯୋଗ ହୋଇ ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ ଭୋଇସେବକମାନେ ସମ୍ପନ୍ନ କରିଛନ୍ତି। ଏଥିସହ ମହାରଣାମାନେ ତିନିରଥ ପାଇଁ ଆବଶ୍ୟକ ଗୁଜ ଚଉପଟ କାର୍ଯ୍ୟ ଶେଷ କରିଛନ୍ତି। ବଡ ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥର ୧୬, ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥର ୧୨ ଏବଂ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥର ୧୬ଟି ଜଳଯନ୍ତ୍ର ନିର୍ମାଣ ଶେଷ ହୋଇଛି। ତିନିରଥର ପାଶର୍‌ବଦେବତାଙ୍କ ପାଇଁ ୯/୯ଟି ଆସ୍ଥାନ ପ୍ରେମ ବା ଜଳଯନ୍ତ୍ର ନିର୍ମାଣ ସରିଛି। ସେହିପରି ଯନ୍ତାପଟା ନିର୍ମାଣ ସରିଛି। ଶୁକ୍ରବାର ମହାରଣାମାନେ ତିନିରଥର ଦୁଇଟି ଲେଖାଏ ଯନ୍ତାପଟାରେ ତିନିଟି ଲେଖାଏ ବିନ୍ଧ କାର୍ଯ୍ୟ ସହ ୪/୪ଟି କିଳା ନିର୍ମାଣ କରିଛନ୍ତି। ଏହି ଯନ୍ତାପଟା ସାହାଯ୍ୟରେ ଚକ ନିର୍ମାଣ ପାଇଁ ଅରରେ ପଇ ପିନ୍ଧା କାର୍ଯ୍ୟ ହୋଇଥାଏ। ୫/୫ଟି ଚକ ପାଇଁ ଆବଶ୍ୟାକ ଅରଗୁଡିକର ମୁଖସାଲ କାର୍ଯ୍ୟ ସରିଛି। ରୂପକାର ସେବକମାନେ ତାଳଧ୍ୱଜ ରଥର ୨, ନନ୍ଦିଘୋଷ ରଥର ୨ ଏବଂ ଦେବଦଳନ ରଥର ୩ଟି ଗୁଜରେ ନୃସିଂହ ରୂପ ଖୋଦେଇ କାର୍ଯ୍ୟ ଜାରି ରଖିଛନ୍ତି। ଅପରପକ୍ଷରେ ଦୋଳବେଦିସ୍ଥିତ ଅସ୍ଥାୟୀ କମାରଶାଳରେ ତିନିରଥର ୪୨ ତୁମ୍ବ ପାଇଁ ଆବଶ୍ୟକ ବଳା ତଥା ପନ୍ଦାରି ନିର୍ମାଣ ଚାଲିଛି। ଶୁକ୍ରବାର ମୋଟ ମହାରଣା ୭୫ ଜଣ ନିୟୋଜିତ ଥିବାବେଳେ ଭୋଇ ସେବକ ୫୯, କରତି ସେବକ ୪, କମାର ସେବକ ୧୨, ପାହି ମହାରଣା ଜଣେ, ତୁମ୍ବବିନ୍ଧ କାରିଗର ଜଣେ, ରୂପକାର ସେବକ ୧୬ ଏବଂ ରଥଖଳା ସହାୟକ ଜଣେ ଏହିପରି ମୋଟ ୧୬୯ ଜଣ ସେବକ ଓ କାରିଗର ନିୟୋଜିତ ଥିଲେ।