ଶାବର ଶ୍ରୀକ୍ଷେତ୍ରରେ ରଥାରୂଢ଼ ହେଲେ ତିନିଠାକୁର

କୋରାପୁଟ,୭ା୭(ଅମିତାଭ ବେହେରା): କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ପବିତ୍ର ରଥଯାତ୍ରା ମହାଆଡ଼ମ୍ବର ସହକାରେ ଆରମ୍ଭ ହୋଇଛି। ସକାଳୁ ମହାପ୍ରଭୁଙ୍କ ନେତ୍ର ଉତ୍ସବ ଓ ନବଯୌବନ କରାଯାଇଥିଲା। ପରେ ପୂର୍ବାହ୍ନ ୧୦ଟାରୁ ଶ୍ରୀ ଧାଡ଼ି ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ସୁଦର୍ଶନଙ୍କ ପହଣ୍ଡି, ପରେ ବଳଭଦ୍ର, ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି କରାଯାଉ ୩ ରଥକୁ ନିଆଯାଇଥିଲା। ପରେ ଆଦିବାସୀଙ୍କ ଦ୍ୱାରା ଅଣାଯାଇଥିବା ବିଭିନ୍ନ ଜଙ୍ଗଲୀ ଫଳକୁ ଠାକୁରଙ୍କ ନିକଟରେ ଭୋଗ କରାଯାଇଥିଲା। ଏହି ଅବସରରେ ଜିଲାପ୍ରଶାସନ ପକ୍ଷରୁ ଜିଲାର ବିଭିନ୍ନ ଗ୍ରାମର ନାୟକମାନଙ୍କୁ ସିରପା ପିନ୍ଧାଯାଇଥିଲା। ପରେ ରାଜା ପରି ସମ୍ମାନ ଦିଆଯାଉଥିବା ଦାସୀ ନାୟକ ରଥରେ ଛେରା ପହଁରା କରିବା ପରେ ଅପରାହ୍ନ ୧ଟାରୁ ପ୍ରଥମେ ବଳଭଦ୍ରଙ୍କ ରଥଟଣା ଆରମ୍ଭ ହୋଇଥିବା ଜଣାଯାଇଛି। ସନ୍ଧ୍ୟା ସୁଦ୍ଧା ସମସ୍ତ ୩ଟି ରଥ ଶ୍ରୀ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିବ ବୋଲି ପ୍ରଶାସନ ପକ୍ଷରୁ ଆଶା କରାଯାଇଛି। ଜିଲାପାଳ ଭିି. କୀର୍ତ୍ତିଭାସନ ଓ ଏସ୍‌ପି ନିଜେ ଉପସ୍ଥିତ ରହି ରଥଯାତ୍ରା କାର୍ଯ୍ୟକ୍ରମକୁ ଅନୁଧ୍ୟାନ କରୁଛନ୍ତି। ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ପାଇଁ ମୋଟ ୮ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଇଛି। ଏହି ରଥଯାତ୍ରାରେ ଜିଲା, ଜିଲା ବାହାର ଓ ପଡ଼ୋଶୀ ଛତିଶଗଡ଼ ଓ ଆନ୍ଧ୍ରର ବହୁ ଭକ୍ତ ସାମିଲ ହୋଇଥିବା ଦେଖିବାକୁ ମିଳିଛି।

Share