ବଡ଼ଦାଣ୍ଡରେ ଗଡ଼ିଲା ରଥ

ପୁରୀ,୭ା୭: ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ବଡ଼ ଦେଉଳରୁ ଭଉଣୀ ଭାଇଙ୍କୁ ସାଙ୍ଗରେ ଧରି ବଡ଼ଦାଣ୍ଡକୁ ଆସିଛନ୍ତି କାଳିଆ ସାଆନ୍ତ। ସମସ୍ତ ନୀତିକାନ୍ତି ପରେ ଧାଡ଼ି ପହଣ୍ଡିରେ ଆସି ରଥାରୂଢ଼ ହୋଇଥିଲେ ୩ ଠାକୁର।

ପ୍ରଥମେ ଶ୍ରୀ ସୁଦର୍ଶନ ମହାପ୍ରଭୁଙ୍କ ପହଣ୍ଡି ହୋଇ ରଥାରୂଢ଼ ହୋଇଥିଲେ। ପରେ ବଡ଼ଠାକୁର ବଳଭଦ୍ର ପରେ ମା’ ସୁଭଦ୍ରା ଏବଂ ଶେଷରେ କାଳିଆ ଆଆନ୍ତ ପହଣ୍ଡିରେ ଆସି ରଥରେ ବିରାଜମାନ କରିଥିଲେ। ରଥାରୂଢ଼ ୩ ଠାକୁରଙ୍କୁ ଛେରାପହଁରା କରିଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ସମସ୍ତ ନୀତିକାନ୍ତି ଶେଷ ପରେ ଆରମ୍ଭ ହୋଇଛି ରଥ ଟଣା। ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ଗଡ଼ିଛି ତାଳଧ୍ବଜ ରଥ। ପରେ ମା’ ସୁଭଦ୍ରଙ୍କ ରଥ ଟଣା ହେବ। ଶେଶରେ କାଳିଆ ଠାକୁରଙ୍କ ରଥଟଣା ହେବ। ଏହି ଅବସରରେ ଘଣ୍ଟଘଣ୍ଟା, ମୃଦଙ୍ଗ, ହରିବୋଲ, ହୁଳହୁଳିରେ ପ୍ରକମ୍ପିତ ହୋଇଉଠିଛି ଶ୍ରୀକ୍ଷେତ୍ର । ଶ୍ରୀଜିଉଙ୍କ ଦର୍ଶନ ପାଇଁ ବଡ଼ଦାଣ୍ଡରେ ଲାଗିଛି ଲକ୍ଷାଧିକ ଭକ୍ତଙ୍କ ଭିଡ଼। ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ପୁରୀରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

Share