ରଥଭଙ୍ଗା ଆରମ୍ଭ: ଜାଣନ୍ତୁ କେତେ ଟଙ୍କାରେ ବିକ୍ରି ହେବ ୩ ଠାକୁରଙ୍କ ରଥଚକ

ପୁରୀ,୧୨ା୮(ଅଜିତ୍‌ କୁମାର ମହାନ୍ତି):ଚଳିତବର୍ଷ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ସରିବା ପରେ ନୀଳାଦ୍ରିବିଜେରେ ୩ ରଥରୁ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ପ୍ରଭୁ ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରା ଶ୍ରୀମନ୍ଦିର ରତ୍ନସିଂହାସନରେ ବିଜେ କରିଥିଲେ। ସେବେଠୁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ତିନିଟି ରଥ ଦଣ୍ଡାୟମାନ ରହିଥିଲା। ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି ପରେ ରବିବାରଠାରୁ ଏହି ତିନି ରଥର ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଛି। ଭୋଇ ସର୍ଦ୍ଦାର ରବି ଭୋଇଙ୍କ ତତ୍ତ୍ୱାବଧାନରେ ଭୋଇ ସେବାୟତମାନେ ରଥ ଭଙ୍ଗା କାର୍ଯ୍ୟ ଆରମ୍ଭ କରିଛନ୍ତି। ପରମ୍ପରା ଅନୁଯାୟୀ, ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଭଙ୍ଗା କାଯର୍ର୍‌ୟ ଆରମ୍ଭ କରାଯାଇଛି। ପର୍ଯ୍ୟାୟ କ୍ରମେ ବଳଭଦ୍ରଙ୍କ ତାଳଧ୍ୱଜ ଏବଂ ଶେଷରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଭଙ୍ଗାଯିବ। ପ୍ରଥମ ଦିନରେ ଦେବଦଳନ ରଥର ଉପରଅଂଶ କଳସ, ଭୂଇଁର ପାଖୁଡ଼ା, ଦୁଆରବେଢ଼ା, ଓରା, ପ୍ରଭା, ପୋଟଳ ଆଦି ଭଙ୍ଗାଯାଇଛି। ଭୋଇ ସେବାୟତମାନେ ସାବଧାନତା ସହ ରଥର ବିିଭିନ୍ନ ଅଂଶ ଭାଙ୍ଗୁଥିବା ଦେଖିବାକୁ ମିଳିଛି।
ଏ ନେଇ ନନ୍ଦିଘୋଷ ରଥର ମୁଖ୍ୟ ଭୋଇ ସେବକ କାର୍ତ୍ତିକ ଭୋଇ କହିଛନ୍ତି, ପ୍ରଶାସନର ନିର୍ଦ୍ଦେଶ ପରେ ରଥଭଙ୍ଗା ଆରମ୍ଭ ହୋଇଛି। ପରମ୍ପରା ଅନୁଯାୟୀ, ପୂଜାର୍ଚ୍ଚନା କରାଯାଇ ପ୍ରଥମେ ଦେବଦଳନ ରଥ ଭଙ୍ଗା ଆରମ୍ଭ ହୋଇଛି। ଏହି କାର୍ଯ୍ୟରେ ୮ଜଣ ଭୋଇ ସେବକ ନିୟୋଜିତ ହୋଇଛନ୍ତି। ଗୋଟିଏ ରଥକୁ ସମ୍ପୂର୍ଣ୍ଣ ଭାଙ୍ଗିବା ନିମନ୍ତେ ୩ରୁ ୪ ଦିନ ସମୟ ଲାଗିଥାଏ। ଦେବଦଳନ ରଥ ପରେ ତାଳଧ୍ୱଜ ରଥ ଓ ଶେଷରେ ନନ୍ଦିଘୋଷ ରଥ ଭଙ୍ଗାଯିବାର ପରମ୍ପରା ରହିଛି। ୧୫ ଦିନ ମଧ୍ୟରେ ଏହି କାର୍ଯ୍ୟ ଶେଷ କରାଯିବ। ଚଳିତବର୍ଷ ପ୍ରଶାସନ ପକ୍ଷରୁ ବିକ୍ରି ପାଇଁ ନନ୍ଦିଘୋଷ ରଥ ଚକ ମୂଲ୍ୟ ୧ ଲକ୍ଷ, ତାଳଧ୍ୱଜ ରଥ ଚକ ମୂଲ୍ୟ ୭୦ ହଜାର ଏବଂ ଦେବଦଳନ ରଥ ଚକ ମୂଲ୍ୟ ୫୦ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି। ଯେ କେହି ବ୍ୟକ୍ତି କିମ୍ବା ସଙ୍ଗଠନ ଚାହିଁଲେ ଧାର୍ଯ୍ୟ ମୂଲ୍ୟ ଦେଇ ରଥ ଚକ କିଣିପାରିବେ ବୋଲି ମୁଖ୍ୟ ଭୋଇ ସେବକ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଲୋକକଥା ଅନୁଯାୟୀ, ନୀଳାଦ୍ରିବିଜେ ନୀତି ପରେ ତିନିରଥକୁ ମୃତ ଭାବେ ବିବେଚନା କରାଯାଏ। ତେଣୁ ଘୋଷଯାତ୍ରା ପରେ ତିନିରଥକୁ ଭାଙ୍ଗି ଦିଆଯାଇଥାଏ। ତେବେ ମହାପ୍ରଭୁଙ୍କ କୋଠଭୋଗ ପ୍ରସ୍ତୁତିରେ ରଥକାଠଗୁଡ଼ିକୁ ବ୍ୟବହାର କରାଯାଏ। ସେହିଭଳି ରଥର ଚକ ସହ କିଛି ଅଂଶକୁ ସୁରକ୍ଷିତ ଭାବେ ରଖାଯାଇଥାଏ। ଶ୍ରୀମନ୍ଦିର ପ୍ରଶାସନଠାରୁ ଭକ୍ତମାନେ ଉକ୍ତ ଚକ ଓ ରଥ ଅଂଶଗୁଡ଼ିକୁ ନେଇ ପୂଜାର୍ଚ୍ଚନା କରିଥାନ୍ତି।