Categories: ଜାତୀୟ

ରାଶନ ହେରଫେର କରି ଫିଲ୍ମ ନିର୍ମାଣ, ଇଡି ସ୍କାନରରେ ବଲିଉଡ-ଟଲିଉଡ ଅଭିନେତ୍ରୀ ଅଭିନେତା…

କୋଲକାତା,୩୦।୧୦ : ପଶ୍ଚିମବଙ୍ଗରେ ଚାଲିଥିବା ରାଶନ ସ୍କାମର ଯାଞ୍ଚ ବର୍ତ୍ତମାନ ଟଲିଉଡରୁ ବଲିଉଡ ପର୍ଯ୍ୟନ୍ତ ପହଞ୍ଚିଛି। ୨୦୧୪ରେ ମୁକ୍ତିଲାଭ କରିଥିବା ମୈଗ୍ରୋବ ନାମକ ଏକ ବଙ୍ଗଳା ଚଳଚ୍ଚିତ୍ରରେ ବଲିଉଡର ପ୍ରସିଦ୍ଧ ଆଇଟମ ଅଭିନେତ୍ରୀ ରାଖୀ ସାୱନ୍ତ ଏକ ଆଇଟମ ଡ୍ୟାନ୍ସ କରିଥିବାବେଳେ ଶିକ୍ଷକ ସ୍କାମରେ ପୂର୍ବତନ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହ ଜେଲରେ ଥିବା ତାଙ୍କ ସହକର୍ମୀ ଅର୍ପିତା ମୁଖାର୍ଜୀ ମୁଖ୍ୟ ଭୂମିକାରେ ନାୟିକା ଭାବେ ଅଭିନୟ କରିଥିଲେ।

ଏହା ମଧ୍ୟ କୁହାଯାଉଛି ଏହି ଚଳଚ୍ଚିତ୍ରରେ କୋଲକାତା ଏବଂ ମୁମ୍ବାଇର ସଂଗୀତଜ୍ଞମାନେ କଣ୍ଠଦାନ କରିଥିଲେ। ଏହି ଚଳଚ୍ଚିତ୍ରର ନିର୍ମାତା ବକିବୁର ରେହମାନ ରାଶନ ସ୍କାମ ମାମଲାରେ ଜଡିତ ଅଛନ୍ତି। ଖୋଲା ବଜାରରେ ସରକାରୀ ରାଶନ ବିକ୍ରୟ କରି ରେହମାନ ବହୁ ସମ୍ପତ୍ତି ରୋଜଗାର କରିଥିବା ଅଭିଯୋଗ ହୋଇଛି। ବକିବୁର ଚଳଚ୍ଚିତ୍ର ବ୍ୟତୀତ ହୋଟେଲ, ରେଷ୍ଟୁରାଣ୍ଟ, ଚାଉଳ ମିଲ ସମେତ ଅନ୍ୟାନ୍ୟ ବ୍ୟବସାୟରେ ରାଶନ ସ୍କାମରୁ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏସବୁ ଉପରେ ଇଡି ନଜର ରଖିଛି।

ପଶ୍ଚିମବଙ୍ଗର ପୂର୍ବତନ ଖାଦ୍ୟ ମନ୍ତ୍ରୀ ଜ୍ୟୋତିପ୍ରିୟା ମଲ୍ଲିକଙ୍କୁ ଇଡି ଗିରଫ କରିଛି । ବକିବୁରଙ୍କର  ସମ୍ପତ୍ତି ଉପରେ ଚାଲିଥିବା ଅନୁସନ୍ଧାନ ବେଳେ ପଶ୍ଚିମବଙ୍ଗର ପୂର୍ବତନ ଖାଦ୍ୟ ମନ୍ତ୍ରୀ ତଥା ବର୍ତ୍ତମାନର ଜଙ୍ଗଲ ମନ୍ତ୍ରୀ ଜ୍ୟୋତିପ୍ରିୟା ମଲ୍ଲିକ ମଧ୍ୟ ଇଡି ରାଡାରରେ ଆସିଥିଲେ ଏବଂ ୨୭ ଅକ୍ଟୋବର ଇଡି ଦଳ ତାଙ୍କୁ ୨୧ ଘଣ୍ଟା ଧରି ମାରାଥନ ପଚରାଉଚରା କରିଥିଲେ। ଜ୍ୟୋତିପ୍ରିୟାଙ୍କୁ ଗିରଫ କରାଯାଇଥିଲା । ଜ୍ୟୋତିପ୍ରିୟା ବର୍ତ୍ତମାନ ଦଶ ଦିନ ପାଇଁ ଇଡି ହେପାଜତରେ ଅଛନ୍ତି। ତାଙ୍କ ଶାସନ କାଳରେ ଘଟିଥିବା ରାଶନ ସ୍କାମ ମାମଲାରେ ଆଉ କିଏ ଜଡିତ ଅଛନ୍ତି ତାହା ଜାଣିବାକୁ ଇଡି ଚେଷ୍ଟା କରୁଛି।

ଏହି ମାମଲାରେ ବଲିଉଡ ଅଭିନେତ୍ରୀ ରାଖୀ ସାୱନ୍ତଙ୍କୁ ପଚରାଉଚରା ପାଇଁ ଇଡି ମଧ୍ୟ ଡକାଇପାରେ। ଏହା ବ୍ୟତୀତ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଅନ୍ୟ ଲୋକଙ୍କୁ ମଧ୍ୟ ପଚରାଉଚରା ହେବାର ସମ୍ଭାବନା ରହିଛି, ଯାହାଫଳରେ ଫିଲ୍ମଟି କେତେ ବଜେଟରେ ନିର୍ମିତ ହୋଇଛି ଏବଂ ଫିଲ୍ମରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାହା ଜଣା ପଡିବ।

ଇଡି ଅନୁସନ୍ଧାନ ଆରମ୍ଭ ହେବା ପୂର୍ବରୁ ମଧ୍ୟ ଟଲିଉଡରୁ ବଲିଉଡକୁ ନେଇ ଉତ୍ତେଜନା ଦେଖାଦେଇଛି। ଏନେଇ ରାଜ୍ୟରେ ବହୁ ନେତା ଓ ମନ୍ତ୍ରୀଙ୍କ ନିଦ ହଜି ଯାଇଛି। ଜଙ୍ଗଲ ମନ୍ତ୍ରୀ ଜ୍ୟୋତିପ୍ରିୟାଙ୍କ ଗିରଫ ପରେ ଅନେକ ସରକାରୀ କର୍ମଚାରୀଙ୍କ ଚିନ୍ତା ବଢ଼ିଥିବା ଚର୍ଚ୍ଚା ହେଉଛି।

Share